କାବୁଲର ସୁନ୍ନି ମସଜିଦରେ ବଡ ଧରଣର ବିସ୍ଫୋରଣ: ୫୦ ଜଣଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ସୁନ୍ନି ମସଜିଦରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି | ଫଳରେ ଏହି ଅଘଟଣରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ରେ ଭର୍ତି କରାଯାଇଛି |

ରମଜାନ ଚାଲିଥିବାରୁ ନମାଜ ପଢିବା ପାଇଁ ଅନେକ ଲୋକ ମସଜିଦକୁ ଯାଇଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା ।

ସୂଚନା ଅନୁଯାୟୀ, କାବୁଲର ପଶ୍ଚିମାଞ୍ଚଳରେ ଥିବା ଖଲିଫା ସାହିବ ମସଜିଦରେ ନମାଜ ପାଠ ପାଇଁ ଶୁକ୍ରବାର ଶହ ଶହ ଲୋକଙ୍କ ସମାବେଶ ହୋଇଥିଲା । ଅପରାହ୍ନ ସମୟରେ ସେଠାରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସରକାରୀ ସ୍ତରରେ ଏହି ବିସ୍ଫୋରଣରେ ୧୦ ଜଣ ପ୍ରାଣ ହରାଇଥିବା ସୁନିଶ୍ଚିତ କରାଯାଇଛି । ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଉପ ମୁଖପାତ୍ର ବିସମିଲ୍ଲା ହବିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ ମସଜିଦ ମୁଖ୍ୟ ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବାର କହିଛନ୍ତି । ମସଜିଦର ମୁଖ୍ୟ ସୟଦ ଫାଜିଲ ଅଗହାଙ୍କ (Sayed Fazil Agha)କହିବାନୁଯାୟୀ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି । ବିସ୍ଫୋରଣ ଘଟାଇଥିବା ବ୍ୟକ୍ତି ସମାରୋହରେ ଲୋକଙ୍କ ସହ ସାମିଲ ଥିବାର ଅନୁମାନ କରାଯାଉଛି । ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ଏବେସୁଦ୍ଧା ୬୬ଟି ମୃତଦେହ ଆସିଥିବା ବେଳେ ଏବଂ ୭୮ ଆହତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଆଫଗାନିସ୍ତାନ ମସଜିଦରେ ଏଭଳି ବିସ୍ଫୋରଣ ପ୍ରଥମ ଘଟଣା ନୁହେଁ, ଅନେକ ସମୟରେ ଦେଶର ସୁନ୍ନି ମସଜିଦଗୁଡିକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଥିବାର ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ୨୧ ତାରିଖରେ ଏକ ମସଜିଦରେ ବିସ୍ଫୋରଣ ଘଟିଥିଲା । ଏଥିରେ ୫ ଜଣ ପ୍ରାଣ ହରାଇଥିଲେ । ଏହାସହ ୬୫ ଜଣ ଆହତ ହୋଇଥିଲେ । ଆକ୍ରମଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଥିଲା । ସେହିପରି ୧୯ ତାରିଖରେ ମଧ୍ୟ ଆଫଗାନର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଥିଲେ ।

Related Posts