ଆଜି ପ୍ରଧାନମନ୍ତ୍ରୀ କରିବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ନୂଆଦିଲ୍ଲୀ: ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବ ଏହି ବୈଠକ । ପୂର୍ବାହ୍ନ ୧୦ ଟାରେ ବିଜ୍ଞାନ ଭବନ, ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମିଳନୀକୁ ଉଦଘାଟନୀ କରିବେ । ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଏଥିସହ ବିଭିନ୍ନ ରାଜ୍ୟର ହାଇକୋର୍ଟର ବିଚାରପତି ମଧ୍ୟ ଉପସ୍ଥିତ ରହିବ ବୋଲି ସୂଚନା ରହିଛି । କୋଭିଡ୍ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଏହି ବୈଠକ ହୋଇପାରିନଥିଲା ।

ଏହି ସଂଯୁକ୍ତ ସମ୍ମିଳନୀକୁ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଗୋଟିଏ ମଞ୍ଚକୁ ଆଣିବାର ଉଦ୍ୟମ ସମ୍ପର୍କରେ ଗଭୀର ଆଲୋଚନା ହେବ। ସମ୍ମିଳନୀରେ ସରଳ ଓ ସୁବିଧାଜନକ ଭାବେ ନ୍ୟାୟ ପ୍ରଦାନର ରୂପରେଖ ସୃଷ୍ଟି ହୋଇପାରିବା ସହ ନ୍ୟାୟ ପ୍ରଣାଳୀ ଭୋଗୁଥିବା ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।

ପୂର୍ବରୁ ୨୦୧୬ ରେ ଏହିଭଳି ସମ୍ମିଳନୀ ଆୟୋଜିତ ହୋଇଥିଲା । ସେବେଠାରୁ ସରକାର ଇକୋର୍ଟସ ମିଶନ ମୋଡ ପ୍ରୋଜେକ୍ଟ ଅନ୍ତର୍ଗତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ବହୁ ପଦକ୍ଷେପ ନେବା ସହ ଅଦାଲତ କାର୍ଯ୍ୟପ୍ରଣାଳୀର ଡିଜିଟାଲ ପ୍ରଯୁକ୍ତି ଏକୀକରଣ ପାଇଁ ପଦକ୍ଷେପ ନେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପାଇଁ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଂଚିଛନ୍ତି । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଭେଟିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମମତାଙ୍କ ସହିତ ପ୍ରାୟ ୩୦ ମିନିଟ ଧରି କଥା ହୋଇଥିଲେ । ଏହି ବୈଠକକୁ ଟିଏମସି ସୌଜନ୍ୟମୂଳକ ସାକ୍ଷାତ କହିଛି । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଥିଲା ।

ମମତା ବାନାର୍ଜୀ ଏହି ନିର୍ବାଚନର ନେତୃତ୍ୱ ନେଇ କେନ୍ଦ୍ରର ବିଜେପି ସରକାରର ପ୍ରାର୍ଥୀ ଆଗରେ ଜଣେ ମଜବୁତ ଚେହେରାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ପ୍ରୟାସ କରୁଛନ୍ତି । ତେଣୁ ମମତା ଅଣ ବିଜେପି ଓ କଂଗ୍ରେସ ରାଜ୍ୟର ନେତାଙ୍କ ସହ ବୈଠକ କରୁଛନ୍ତି । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇବା ନେଇ ମମତା ଲବି କରୁଥିବା ସୂଚନା ରହିଛି । ଯଦି ପାୱାରଙ୍କୁ ନେଇ ସହମତି ପ୍ରକାଶ ପାଇବ ତାହେଲେ କଂଗ୍ରେସକୁ ସାଙ୍ଗରେ ଆଣିବା ପାଇଁ ପ୍ରୟାସ ହେବ ବୋଲି ସୂଚନା ରହିଛି । ତେବେ ଦିଲ୍ଲୀ ଗସ୍ତରେ ଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ପକ୍ଷ ନେବେ ସେ ନେଇ ଦିଲ୍ଲୀରେ ଏକଜୁଟ ହୋଇଥିବା ନେତାଙ୍କ ମଧ୍ୟରେ ସସପେନ୍ସ ଜାରି ରହିଛି ।

Related Posts