ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ: ଯୁବ ଭାରତୀୟ ଦଳର ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ: ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୫ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଆଜି ପ୍ରଥମ ମ୍ୟାଚ୍‌ ଖେଳାଯିବ । ଏନେଇ ଯୁବ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ, ଦକ୍ଷିଣ ଆଫ୍ରିକା ଶ୍ରେଷ୍ଠ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ । ଭାରତ ମାଟିରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଦକ୍ଷିଣ ଆଫ୍ରିକା ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ କ୍ରମାନ୍ୱୟରେ ୧୨ଟି ଟି-ଟ୍ୱେଣ୍ଟି ଜିତି ସାରିଥିବାରୁ ବିଜୟ ସହ ରେକର୍ଡ ସ୍ଥାପନ କରିବାକୁ ଯୋଜନା କରିଛି ।

ଶ୍ରେଷ୍ଠ ଏକାଦଶ ନେଇ ଓହ୍ଲାଇବ ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ସବୁ ଶକ୍ତ ଖଟାଇବାକୁ ପ୍ରସ୍ତୁତ । ତେଣୁ ଶ୍ରେଷ୍ଠ ଏକାଦଶ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳର ଅଧିକାଂଶ ଖେଳାଳି ଆଇପିଏଲ୍‌ ଖେଳୁଥିଲେ । ଆଇପିଏଲ୍‌ରେ ଡେଭିଡ୍‌ ମିଲର, କ୍ୱିଣ୍ଟନ ଡି କକ୍‌, ଡ୍ୱେନ ପ୍ରିଟୋରିୟସ, କାଗିସୋ ରାବାଡା, ଆନରିଚ ନର୍ଜ, ମାର୍କୋ ଜାନସେନଙ୍କ ପ୍ରଦର୍ଶନ ଉନ୍ନତ ରହିଥିଲା । ତେଣୁ ଘରୋଇ ଦଳକୁ ଚ୍ୟାଲେଞ୍ଜ ଦେବାକୁ ଦକ୍ଷିଣ ଆଫ୍ରିକା ପ୍ରସ୍ତୁତ ।

ଭାରତ ୧୨-୦

ଭାରତ ଇତି ମଧ୍ୟରେ କ୍ରମାନ୍ୱୟରେ ୧୨ଟି ଟି-ଟ୍ୱେଣ୍ଟି ଜିତି ସାରିଛି । ଗୁରୁବାର ସର୍ବାଧିକ ବିଜୟ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି । ଆଫଗାନିସ୍ତାନ ମଧ୍ୟ କ୍ରମାନ୍ୱୟରେ ୧୨ଟି ଟି-ଟ୍ୱେଣ୍ଟି ଜିତିଥିଲା । ଶେଷ ୧୦ଟି ଦ୍ୱିପାକ୍ଷିକ ସିରିଜ ମଧ୍ୟରୁ ଭାରତ ୯ଟି ସିରିଜରେ ବିଜୟୀ ହୋଇଛି । ଭାରତରେ ଖେଳିଥିବା ୨ଟି ଟି-ଟ୍ୱେଣ୍ଟି ସିରିଜ ମଧ୍ୟରୁ ଦକ୍ଷିଣ ଆଫ୍ରିକା ଗୋଟିଏ ସିରିଜ ଜିତିଥିଲା ଓ ଅନ୍ୟ ସିରିଜଟି ଡ୍ର’ ରଖିବାରେ ସଫଳ ହୋଇଥିଲା ।

ପାଣ୍ଡ୍ୟା, କାର୍ତ୍ତିକଙ୍କ ଉପରେ ନଜର

ଆସନ୍ତା କାଲି ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ଉପରେ ନଜର ରହିବ । ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇଥିଲେ । ୩ ବର୍ଷ ପରେ ଦଳକୁ ଫେରିଥିବା କାର୍ତ୍ତିକ ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ଫିନିସର ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ ।

ଟସ୍‌ ଜିତିଲେ ଫିଲ୍ଡିଂ

କୋଟଲା(ଅରୁଣ ଜେଟଲୀ) ଗ୍ରାଉଣ୍ଡ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ରାତ୍ରିରେ ମ୍ୟାଚ୍‌ ହେଉଥିବାରୁ ଟସ୍‌ ବିଜୟୀ ଦଳ ପ୍ରଥମ ଫିଲ୍ଡିଂ କରିବା ନିଶ୍ଚିତ । ପିଚ୍‌ ସାମାନ୍ୟ ମନ୍ଥର ରହିବ । ଅତିରିକ୍ତ ବାଉନ୍ସର ସମ୍ଭାବନା ନାହିଁ । ତେଣୁ ବ୍ୟାଟରମାନଙ୍କୁ ପ୍ରାରମ୍ଭରୁ ସତର୍କତାର ସହ ଖେଳିବାକୁ ହେବ । ଏହି ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଶେଷ ୬ଟି ଟି-ଟ୍ୱେଣ୍ଟି ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚ୍‌ ଜିତିଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।

Related Posts