2021ରେ ସବୁଠୁ ଅଧିକ ଚୋରା ସୁନା ଚେନ୍ନାଇ, କାଲିକଟ୍‌ ବିମାନ ବନ୍ଦରରୁ ଜବତ

ସତ୍ୟପାଠ 22/12 ନୂଆଦିଲ୍ଲୀ: ଚଳିତ ବର୍ଷ ଚେନ୍ନାଇ, କାଲିକଟ୍‌, ତ୍ରିଚି ଏବଂ କୋଚିନ୍‌ ଭଳି ବିମାନ ବନ୍ଦରରୁ ଏପର୍ଯ୍ୟନ୍ତ ସୀମା ଶୁଳ୍କ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସର୍ବାଧିକ ପରିମାଣର ଚୋରା ସୁନା ଜବତ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାକୁ ସୂଚନା ଦେଇଛନ୍ତି।
ସାଂସଦ ଜନ୍‌ ବ୍ରିଟାସଙ୍କୁ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଗତ ଆର୍ଥିକ ବର୍ଷ 2021-22ର ନଭେମ୍ବର ପର୍ଯ୍ୟନ୍ତ ଚେନ୍ନାଇ ବିମାନ ବନ୍ଦରରେ ପ୍ରାୟ ୧୩୦ କିଲୋଗ୍ରାମ ସୁନା ଜବତ କରାଯାଇଛି, ଯାହା କି ଦେଶର 21ଟି ପ୍ରମୁଖ ବିମାନ ବନ୍ଦର ମଧ୍ୟରେ ସର୍ବାଧିକ। ଏହା ପରେ କାଲିକଟ୍‌ ବିମାନ ବନ୍ଦରରୁ ପ୍ରାୟ 28 K.G. ଚୋରା ସୁନା ଜବତ କରାଯାଇଛି।

ମନ୍ତ୍ରୀ ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟରେ କୁହାଯାଇଛି ଯେ ଅପେକ୍ଷାକୃତ ଛୋଟ ତ୍ରିଚି ବିମାନ ବନ୍ଦରରେ ଦେଶର ସର୍ବବୃହତ ବିମାନ ବନ୍ଦର ଦିଲ୍ଲୀ ପରି ସମାନ ପରିମାଣର ସୁନା ଜବତ ହୋଇଛି। ଏଠାରୁ 78 କିଲୋଗ୍ରାମ ଚୋରା ସୁନା ଜବତ ହୋଇଛି। କୋଭିଡ-19 ମହାମାରୀ ପାଇଁ ଉଡ଼ାଣ ଏବଂ ଆନ୍ତର୍ଜାତୀୟ ଭ୍ରମଣ ଉପରେ ପ୍ରତିବନ୍ଧକ ଲାଗିଥିବା ହେତୁ 2021-22 ରେ ଚୋରା ସୁନା ଜବତର ପରିମାଣ ବହୁତ ହ୍ରାସ ପାଇଥିଲା। ଏପରିକି ଗତ ବର୍ଷ ଚେନ୍ନାଇ ଏବଂ କାଲିକଟ୍‌ ବିମାନ ବନ୍ଦରରେ ଓଜନ ଦୃଷ୍ଟିରୁ ସର୍ବାଧିକ ପରିମାଣର ଚୋରା ସୁନା ଜବତ ହୋଇଥିଲା।

ମହାମାରୀ ପୂର୍ବରୁ, 2019-20ରେ, ଓଜନ ଦୃଷ୍ଟିରୁ ସର୍ବାଧିକ ଚୋରା ସୁନା ଜବତ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦରରେ ଯଥାକ୍ରମେ 494 କିଲୋଗ୍ରାମ ଏବଂ 403 କିଲୋଗ୍ରାମ ରହିଥିଲା। ଏହା ପରେ ଚେନ୍ନାଇ (328 କିଲୋଗ୍ରାମ) ଏବଂ କାଲିକଟ (262 କିଲୋଗ୍ରାମ) ଚୋରା ସୁନା ଜବତ ହୋଇଥିଲା।

Related Posts