୨୦୨୨ ପଞ୍ଚାୟତ ଲଢେଇ: ଆରମ୍ଭ ହୋଇଗଲା ଭୋଟ ଗଣତି

୨୦୨୨ ପଞ୍ଚାୟତ ଲଢେଇ ଶେଷ ହୋଇଛି | ଆଉ ଆଜିଠୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି | ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି ଆରମ୍ଭ ହୋଇଥିବା ବେଳେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି ଆରମ୍ଭ ହୋଇଛି | ସମସ୍ତ ବ୍ଲକ ହେଡ୍ କ୍ୱାର୍ଟରରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଆରମ୍ଭ ହେବ | ପ୍ରଥମେ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭୋଟ୍ ଗଣନା |

ପରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭୋଟ୍ ଗଣନା । ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ୍ ଗଣନା । ପ୍ରତି ପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ନିୟୋଜିତ । ୨ଜଣ କାଉଣ୍ଟିଂ ଅଫିସର, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ପ୍ରତି ପ୍ରାର୍ଥୀଙ୍କ ପାଇଁ ଜଣଏ ଲେଖାଏଁ ଏଜେଣ୍ଟ ଉପସ୍ଥିତ ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି । ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ବରଗଡ ଜିଲ୍ଲା ଅମ୍ବାବନାରେ 6 ନଂ ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ଦ୍ବନ୍ଦରେ ଜିତିଛନ୍ତି। ଏହାସହ କେନ୍ଦୁଝର ଘଟଗାଁ 8 ନଂ ଜୋନର ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଭୋଟ ଗ୍ରହଣ ସ୍ଥଗିତ ରହିଛି।ତେବେ 851 ଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଗଣତି ହେବ। ସମିତି ସଭ୍ୟ ସିଟ ରହିଛି 6 ହଜାର 793 । ସେଥିରୁ 326 ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ମୋଟ 6 ହଜାର 467 ଜଣ ସମିତି ସଭ୍ୟଙ୍କ ପାଇଁ ଭୋଟ ଗଣତି ହେବ । ସରପଞ୍ଚ ପ୍ରାର୍ଥୀ 6 ହଜାର 793 ଟି ଆସନ ମଧ୍ୟରୁ 126 ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେଣୁ ମୋଟ 6 ହଜାର 667 ଟି ସରପଞ୍ଚ ଆସନ ପାଇଁ ଭୋଟ ଗଣତି ହେବ। 91 ହଜାର 890 ଆସନ ମଧ୍ୟରୁ 36 ହଜାର 523 ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେଣୁ 55 ହଜାର 377 ୱାର୍ଡ ମେମ୍ବର ଆସନ ପାଇଁ ଭୋଟ ଗଣତି ହେବ।

ସୂଚନାଯୋଗ୍ୟ, 2017 ରେ ମୋଟ 849 ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି 476 ଟି ବିଜେପି 297 ଏବଂ କଂଗ୍ରେସ 60 ଟି ସିଟ ପାଇଥିଲା । ଅନ୍ୟ ଦଳଙ୍କୁ 16 ଟି ଆସନ ମିଳିଥିଲା |

Related Posts