ମୋ ସ୍କୁଲ୍‌ ଅଭିଯାନ’ର ୩୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ: ୨୭ଟି ଜିଲ୍ଲାର ମୋଟ ୫୨ କୋଟି ୭୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ‘ମୋ ସ୍କୁଲ୍‌ ଅଭିଯାନ’ର ୩୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଏହି ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ମୋଟ ୫୨ କୋଟି ୭୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୪୫,୩୮୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି ।

ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୧୨ କୋଟି ୫୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୫ କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୫୨ କୋଟି ୭୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ଯାହାକି ୫୧୪୬ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ । ବାଲେଶ୍ୱରରେ ସର୍ବାଧିକ ୨ କୋଟି ୪୪ ଲକ୍ଷ, ଯାଜପୁରରେ ୨ କୋଟି ୨ ଲକ୍ଷ, ସମ୍ବଲପୁରରେ ୭୧ ଲକ୍ଷ ୨୯ ହଜାର, ଭଦ୍ରକରେ ୬୦ ଲକ୍ଷ ୩୨ ହଜାର ଏବଂ ବଲାଙ୍ଗୀରରେ ୫୪ ଲକ୍ଷ ୬୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୭ଲକ୍ଷ ୫୧ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ସ୍କୁଲ୍‌ ଏବେ ସୁଦ୍ଧା ‘ମୋ ସ୍କୁଲ୍‌ ଅଭିଯାନ’ରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଆଗାମୀ ଦିନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ସ୍କୁଲ୍‌ଗୁଡ଼ିକୁ ‘ମୋ ସ୍କୁଲ୍‌ ଅଭିଯାନ’ରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ନିକଟରେ ପ୍ରସ୍ତାବ ଦିଆଯାଇଥିଲା । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ସ୍କୁଲ୍‌ଗୁଡ଼ିକ ‘ମୋ ସ୍କୁଲ୍‌’ରେ ସାମିଲ ହେବା ଦ୍ୱାରା ରାଜ୍ୟର ଲକ୍ଷାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ।

ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ଅଧିକରୁ ଅଧିକ ପୁରାତନ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲ୍‌ ସହ ଯୋଡ଼ିବାର ପ୍ରୟାସ ଜାରି ରଖିଛି ‘ମୋ ସ୍କୁ ଲ ଅଭିଯାନ’ । ଏ ନେଇ ୩୦ ଜିଲ୍ଲାର ୨୯୮ଟି ବ୍ଲକରେ ‘ମୋ ସ୍କୁ ଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଗାମୀଦିନରେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଯୋଜନା ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ‘ମୋ ସ୍କୁଲ୍‌ ସଦସ୍ୟ ସଚିବ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁଲ୍‌ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍‌ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।

Related Posts