ଦିଲ୍ଲୀ ଚାଲାଣ ହେଉଥିବା ୪୫୦୦ କେଜି ଗଞ୍ଜେଇକୁ ଜବତ କଲା ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ୪୫୦୦ କେ.ଜି ଗଞ୍ଜେଇ ଜବତ କରାଯାଇଛି । ଏକ କୁଣ୍ଡା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ଦେଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ,ଅଭିରାମ ବେହେରା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ହୋଇଥିବା ଦୁଇଜଣ ଦିଲ୍ଲୀ ବାସିନ୍ଦା ଯାହାଙ୍କ ନାମ ଦିନେଶ କୁମାର ଓ ଚନ୍ଦନ କୁମାର ।

ମିଳିଥିବା ସୂଚନା ଅନୁସାରେ , ଏକ ଟ୍ରକ ନମ୍ବର ସିଜି-୧୩-ବାଇ-୫୨୬୩ ଯୋଗେ ୧୨୭ ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ଅବକାରୀ କର୍ମଚାରୀମାନେ ମଦ ଧରପଗଡ ପାଇଁ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଦୃତ ଗତିରେ ଟ୍ରକଟି ବାଇପାସ୍ ରାସ୍ତାରେ ଯାଉଥିବା ସମୟରେ ଟ୍ରକଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ପ୍ରଥମେ କୁଣ୍ଡା ବାହାରିଥିବା ବେଳେ ଭିତର ବସ୍ତାରେ ଗଞ୍ଜେଇ ରହିଥିଲା। ତୁରନ୍ତ ଟ୍ରକ ଜବତ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଅଣାଯାଇଥିଲା ।ପୁନର୍ବାର ଯାଞ୍ଚ ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ଓଜନ କରିବା ପରେ ତାହା ୪୫୦୦ କେଜି ବୋଲି ଜଣାପଡିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଅଢେଇ କୋଟି ଟଙ୍କା । ବିଶାଖାପାଟଣା ଠାରୁ କୋରାପୁଟ ଦେଇ ଟ୍ରକରେ ଦିଲ୍ଲୀ ଚୋରାଚାଲାଣ ହେଉଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

Related Posts