
ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆଠାରୁ ଯେମିତି ଆରମ୍ଭର ଆବଶ୍ୟକତା ଥିଲା, ତା’ର ଠିକ୍ ଓଲଟା ଦେଖିବାକୁ ମିଳିଲା । ବ୍ରିସ୍ବେନ୍ରେ ଘରୋଇ ଅଷ୍ଟ୍ରେଲିଆ ରୋମାଞ୍ଚକର ଟି-ଟ୍ବେଣ୍ଟି ମ୍ୟାଚ୍ରେ ବିରାଟ ସେନାକୁ ମାତ୍ର 4 ରନ୍ରେ ପରାସ୍ତ କଲା । ଏହି ମ୍ୟାଚ୍ରେ ଆରମ୍ଭରୁ ନେଇ ଶେଷ ଯାଏଁ ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଟିମ୍ ଇଣ୍ଡିଆ ପକ୍ଷରୁ କେତେକ ଏମିତି ଭୁଲ୍ କରାଗଲା, ଯାହା ଫଳରେ ବିରାଟ ବ୍ରିଗେଡ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ।
ଏବେ ନଜର ପକାଇବା ବ୍ରିସ୍ବେନ୍ ଟି-ଟ୍ବେଣ୍ଟିରେ ଟିମ୍ ଇଣ୍ଡିଆର ପରାଜୟର କାରଣ ଉପରେ..
1. ଡକ୍ୱର୍ଥ ଲୁଇସ୍ ନିୟମ ବିଗାଡ଼ିଦେଲା ଟିମ୍ ଇଣ୍ଡିଆର ଖେଳ:
ବ୍ରିସ୍ବେନ୍ ଟି-ଟ୍ବେଣ୍ଟିରେ ବର୍ଷା ଟିମ୍ ଇଣ୍ଡିଆ ପାଇଁ ଖଳନାୟକ ପାଲଟିଲା । ପ୍ରଥମ ଇନିଂସ୍ର 16.1 ଓଭର ପରେ ବର୍ଷା ହେଲା, ଯାହା ଫଳରେ କିଛି ସମୟ ପାଇଁ ମ୍ୟାଚ୍ ରୋକାଗଲା । ପୁଣି ଥରେ ମ୍ୟାଚ୍ ଆରମ୍ଭ ହେବା ପରେ ଅମ୍ପାୟାରମାନେ ମ୍ୟାଚ୍କୁ 20 ଓଭର ସ୍ଥାନରେ 17 ଓଭର କରିଦେଲେ । ଅଷ୍ଟ୍ରେଲିଆ 17 ଓଭରରେ 4 ୱିକେଟ୍ ହରାଇ 158 ରନ୍ ସ୍କୋର କରିଥିବାବେଳେ ଭାରତ ସାମ୍ନାରେ ଡକ୍ୱର୍ଥ ଲୁଇସ୍ ନିୟମ ଅନୁସାରେ 17 ଓଭରରେ 174ରନ୍ର ଲକ୍ଷ୍ୟ ରଖାଗଲା । ଏହି ଲକ୍ଷ୍ୟ ଭାରତ ପାଇଁ କଷ୍ଟକର ପ୍ରମାଣିତ ହେଲା । 17 ଓଭରରେ 7 ୱିକେଟ୍ ହରାଇ ଭାରତ 169 ରନ୍ ସ୍କୋର କରି ବିଜୟଠାରୁ ମାତ୍ର 4 ରନ୍ ପଛରେ ରହିଗଲା । ଏମିତି ଅଷ୍ଟ୍ରେଲିଆକୁ ଡକ୍ୱର୍ଥ ଲୁଇସ୍ର ଲାଭ ମିଳିଲା ।
2. ଗ୍ଲେନ୍ ମାକ୍ସୱେଲ୍ଙ୍କ ଦମ୍ଦାର ବ୍ୟାଟିଂ :
ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମାକ୍ସୱେନ୍ ଦମ୍ଦାର ବ୍ୟାଟିଂ କରି 46 ରନ୍ ସ୍କୋର କଲେ । 24ଟି ବଲ୍ ଖେଳି ମାକ୍ସୱେଲ୍ 4ଟି ଛକ୍କା ମାରିଲେ, ଯେଉଁଥିରେ ସେ କୃନାଲ୍ ପାଣ୍ଡ୍ୟାଙ୍କର ଗୋଟିଏ ଓଭରରେ 3ଟି ବଲ୍କୁ ବାଉଣ୍ଡାରୀ ବାହାରକୁ ପଠାଇଥିଲେ । ମାକ୍ସୱେଲ୍ଙ୍କ ଇନିଂସ୍ ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ।
3. ରୋହିତ ଶର୍ମାଙ୍କ ୱିକେଟ୍ :
କୌଣସି ଟିମ୍କୁ ଯଦି ବଡ଼ ଲକ୍ଷ୍ୟ ହାସଲ କରିବାକୁ ଥାଏ, ତେବେ ଓପନିଂ ବ୍ୟାଟସମ୍ୟାନ୍ଙ୍କ ଉପରେ ଗୁରୁଦାୟିତ୍ବ ଥାଏ । କିନ୍ତୁ ପଞ୍ଚମ ଓଭରରେ ରୋହିତ ଶର୍ମା ସେପରି କୌଣସି ଭଲ ସ୍କୋର ନ କରି ଆଉଟ୍ ହୋଇଯିବା ଦଳ ପାଇଁ ଭାରୀ ପଡ଼ିଲା । ରୋହିତ୍ଙ୍କ ବ୍ୟାଟ୍ରୁ ଭଲ ଇନିଂସ୍ ବାହାରିଥିଲେ ମ୍ୟାଚ୍ର ଫଳାଫଳ କିଛି ଅଲଗା ହୋଇଥାନ୍ତା ।
4. କୋହଲିଙ୍କ ସ୍ଥାନରେ କେ.ଏଲ୍ ରାହୁଲ 3 ନମ୍ବରରେ ବ୍ୟାଟିଂ କରିବା :
ବ୍ରିସ୍ବେନ୍ ମ୍ୟାଚ୍ରେ କ୍ୟାପ୍ଟେନ୍ ବିରାଟ କୋହଲି ଏକ ବଡ଼ ଚ୍ୟାଲେଞ୍ଜ ନେଲେ । ନିଜେ 4 ନମ୍ବରରେ ଆସି କେ.ଏଲ୍ ରାହୁଲଙ୍କୁ 3 ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଇଦେଲେ । ରାହୁଲ 12ଟି ବଲ୍ରେ 13 ରନ୍ କରି ଆଉଟ୍ ହେଲେ । ଏହାପରେ କୋହଲି ଆସି ସେଟ୍ ହେବା ପୂର୍ବରୁ ସେ ବି ଶସ୍ତାରେ ଆଉଟ୍ ହୋଇଗଲେ । କୋହଲିଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଲା । 3 ନମ୍ବର ସ୍ଥାନରେ ଆସିଥିଲେ ବିରାଟଙ୍କୁ ସେଟ୍ ହେବା ପାଇଁ ସମୟ ମିଳିଥାନ୍ତା ।
5. ଶେଷ ଓଭରରେ କାର୍ତ୍ତିକ ଓ ପାଣ୍ଡ୍ୟାଙ୍କ ଆଉଟ୍ ହେବା :
ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ସାରିଥିଲା । ଶେଷ ଓଭରରେ ଭାରତକୁ ବିଜୟ ପାଇଁ 13 ରନ୍ ଆବଶ୍ୟକ ଥିଲା । କିନ୍ତୁ ଦିନେଶ କାର୍ତ୍ତିକ ଓ କୃନାଲ୍ ପାଣ୍ଡ୍ୟାଙ୍କ ରୂପରେ ଲଗାତାର ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ପଡ଼ିଯିବା ଫଳରେ ଭାରତ ବିଜୟଠାରୁ ମାତ୍ର 4 ରନ୍ ଦୂରରେ ରହିଗଲା ।