
ବ୍ରିସ୍ବେନ୍ ଟି-ଟ୍ବେଣ୍ଟିରେ ଭାରତ 4 ରନ୍ରେ ପରାସ୍ତ ହୋଇଛି । ଘରୋଇ ଅଷ୍ଟ୍ରେଲିଆ ଟିମ୍ ଇଣ଼୍ଡିଆକୁ ରୋମାଞ୍ଚକ ମ୍ୟାଚ୍ରେ ହରାଇ ଦେଇଛି । ବର୍ଷା ଫଳରେ ମ୍ୟାଚ୍କୁ 20 ଓଭର ବଦଳରେ 17 ଓଭର କରାଯାଇଥିଲା, ଯେଉଥିରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 17 ଓଭରରେ 4 ୱିକେଟ୍ ହରାଇ 158 ରନ୍ ସଂଗ୍ରହ କରିଥିଲା । ଡକ୍ୱର୍ଥ ଲୁଇସ୍ ନିୟମ ଅନୁସାରେ ଭାରତକୁ ବିଜୟ ପାଇଁ 174 ରନ୍ର ସଂଶୋଧିତ ଲକ୍ଷ୍ୟ ମିଳିଥିଲା ।
ଶେଷ ଓଭରରେ ଭାରତକୁ ବିଜୟ ପାଇଁ 13 ରନ୍ର ଆବଶ୍ୟକତା ଥିଲା । କିନ୍ତୁ ଦିନେଶ କାର୍ତ୍ତିକ ଓ କୃନାଲ ପାଣ୍ଡ୍ୟାଙ୍କ ୱିକେଟ୍ ପଡ଼ିବା ଫଳରେ ଭାରତ ବିଜୟଠାରୁ ମାତ୍ର 4 ରନ୍ ଦୂରରେ ରହିଗଲା । ଅଷ୍ଟ୍ରେଲିଆର ବୋଲର ଆଡାମ୍ ଜାମ୍ପା ଓ ମାର୍କସ୍ ଷ୍ଟୋଇନସ୍ ଦୁଇ ଦୁଇଟି ୱିକେଟ୍ ନେଲେ । ଜାମ୍ପା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ୱିକେଟ୍ ନେଲେ । ଶେଷ ଓଭରରେ ଷ୍ଟୋଇନିସ୍ ଦିନେଶ କାର୍ତ୍ତିକ(30) ଓ କୃନାଲ୍ ପାଣ୍ଡ୍ୟା(2)ଙ୍କୁ ଆଉଟ୍ କରି ଭାରତର ବିଜୟ ସମ୍ଭାବନାକୁ ଶେଷ କରିଦେଲେ ।
ଭାରତ ପାଇଁ କାର୍ତ୍ତିକଙ୍କ ପୂର୍ବରୁ ଶିଖର ଧୱନ୍ 42ଟି ବଲ୍ରୁ 10ଟି ଚୌକା ଓ ଦୁଇଟି ଛକ୍କା ସହାୟତାରେ 76ରନ୍ର ଇନିଂସ୍ ଖେଳି ଟିମ୍କୁ ବିଜୟ ଅଭିମୁଖେ ନେଇଯାଇଥିଲେ । 174ରନ୍ର ଟାର୍ଗେଟ୍କୁ ପିଛା କରିଥିବା ଭାରତକୁ ରୋହିତ ଶର୍ମା(7)ଙ୍କ ରୂପରେ ଦଳୀୟ ସ୍କୋର 35ରେ ପ୍ରଥମ ଝଟ୍କା ଲାଗିଥିଲା । ଅନ୍ୟପଟେ ଧୱନ୍ ଲଗାତାର ଷ୍ଟ୍ରୋକ୍ ଖେଳିଚାଲିଥିବାବେଳେ ବିରାଟ କୋହଲିଙ୍କ ସ୍ଥାନରେ 3 ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ (13) ପୁଣି ବିଫଳ ହୋଇଥିଲେ ।
ଦଳୀୟ ସ୍କୋର 81ରେ ରାହୁଲ ଓ 94ରେ ବିରାଟ କୋହଲି ବ୍ୟକ୍ତିଗତ ଭାବେ ମାତ୍ର 4 ରନ୍ କରି ଜାମ୍ପାଙ୍କର ଦ୍ବିତୀୟ ଶିକାର ହୋଇଥିଲେ । ଧୱନ୍ ଦଳୀୟ ସ୍କୋର 100 ପାର୍ କରିଥିଲେ ବି ସେ ଆଉଟ୍ ହେବା ପରେ ଭାରତକୁ ରନ୍ ପାଇଁ ସଂଘର୍ଷ କରିବାକୁ ହେଲା । ଦୁଇ ୱିକେଟ୍ କିପର ବ୍ୟାଟସମ୍ୟାନ୍ ଋଷଭ ପନ୍ଥ ଓ ଦିନେଶ କାର୍ତ୍ତିକ ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଉଭୟ ଶେଷ ପର୍ଯ୍ୟନ୍ତ ନ ତିଷ୍ଠିବା ଭାରତ ପାଇଁ କାଳ ହେଲା ।
ଏହା ପୂର୍ବରୁ ବ୍ରିସ୍ବେନ୍ରେ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବିରାଟ କୋହଲି । ଭାରତୀୟ ବୋଲରମାନେ ଆରମ୍ଭରୁ ଶୃଙ୍ଖଳିତ ବୋଲିଂ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମାକ୍ସୱେଲ୍ ସର୍ବାଧିକ 46 ରନ୍(24 ବଲ୍,4 ଛକ୍କା) କରିଥିଲେ । ମାର୍କସ୍ ଷ୍ଟୋଇନିସ୍ 33 ରନ୍ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫି଼ଞ୍ଚ ମଧ୍ୟ ଗୁରୁତ୍ବପୂର୍ଣ୍ଣ 37 ରନ୍ର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ 2ଟି ଏବଂ ଜଶପ୍ରୀତ୍ ବୁମ୍ରା ଓ ଖଲିଲ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।