ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର: ସମଲେଶ୍ବରୀ ମନ୍ଦିର ବିକାଶ କାମର କଲେ ସମୀକ୍ଷା

ସମ୍ବଲପୁର: ସମଲେଶ୍ବରୀ ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର | ସମଲେଶ୍ବରୀ ମନ୍ଦିରର ବିକାଶ କାମର ସମୀକ୍ଷା ଲାଗି ସମ୍ବଲପୁରରେ ପହନ୍ଚି କାମର ତଦାରଖ କରିଛନ୍ତି | ଏଦୁଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନ୍ନିଲ୍ କ୍ରୀଷ୍ଣା, ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ସିଂହ ଓ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ବି ସମଲେଶ୍ବରୀ ମନ୍ଦିର ଭିତରକୁ ଯାଇ ମନ୍ଦିର ବିକାଶ କାମର ସମୀକ୍ଷା କରିଥିବା ଜଣାଯାଇଛି। ଏହାପରେ ସେମାନେ ମହାନଦୀରେ ଥିବା ଆଳତି ଘାଟର ପରିଦର୍ଶନ କରିଥିଲେ। ଏଠାରେ ପହଞ୍ଚିବା ପରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ବରିଷଠ ଅଧିକାରୀମାନଙ୍କୁ ସ୍ବାଗତ କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ସମଲେଇ ଯୋଜନା ମୁତାବକ ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ ।

ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ ରହିବା ସାଙ୍ଗକୁ ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ । ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଙ୍ଗ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ମାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ। ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ ।


ନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏହାସହିତ ସେଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ ପାର୍କ , ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଂଗମଞ୍ଚର ବ୍ୟବସ୍ଥା ରହିବ | ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀ ର ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ ବିଚାର କରି ଏକ ଉଦାର ଥଇଥାନ ଓ ପୁନର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି ।

Related Posts