ରାଜ୍ୟରେ ନିଯୁକ୍ତି ପାଇଲେ ୫୫୦ ଲାବରେଟୋରି ଟେକ୍ନିସିଆନ, କାର୍ଯ୍ୟରେ ଯୋଗଦେବା ପୂର୍ବରୁ ମାର୍ଗଦର୍ଶନ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ଉନ୍ନତ କରିବା ଲାଗି ରାଜ୍ୟ ସରକାର ୫୫୦ ଲାବରେଟୋରି ଟେକ୍ନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି। ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୋଡ଼ିହୋଇ ସମ୍ପୃକ୍ତ ଅଧିକାରୀଙ୍କ ମାର୍ଗଦର୍ଶନ କରିଛନ୍ତି।ରୋଗୀଙ୍କୁ ସମ୍ମାନର ସହ ଚିକିତ୍ସା କରିବା ଏବଂ ବୃତ୍ତିଗତ ଶୈଳୀରେ କାର୍ଯ୍ୟ କରିବାକୁ ସେ ନବନିଯୁକ୍ତ ଟେକ୍ନିସିଆନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୫-ଟି ଉପକ୍ରମର ଗୁରୁତ୍ୱ ସମ୍ପର୍କରେ ସୂଚନାଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କ୍ୟାରିଅରର ପ୍ରମୁଖ ନୀତି ହେବା ଆବଶ୍ୟକ। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ତେଣୁ ରାଜ୍ୟ ସରକାର ଲୋକଙ୍କ ଆବଶ୍ୟକତାକୁ ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ତେବେ ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଲାଗି ଗତ ମାସରେ ୫୧୦ ଜଣ ମେଡିକାଲ ଅଧିକାରୀ ନିଯୁକ୍ତି ପାଇଥିଲେ। ଏହାପରେ ଥରକରେ ୫୫୦ ଲାବ୍‌ ଟେକ୍ନିସିଆନ ନିଯୁକ୍ତ ହୋଇଛନ୍ତି, ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ହେଉଛି ତାଙ୍କ ଶାସନର ମାର୍ଗଦର୍ଶିକା। ଏହା ହାସଲ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଭିଜନ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଅଣାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଉପଲକ୍ଷେ ସୌମ୍ୟରଞ୍ଜନ ବେହେରା, ଲିଜା ପଟ୍ଟନାୟକ ଏବଂ ଅଭୟ ସାସମଲ ପ୍ରମୁଖ ୩ ନବନିଯୁକ୍ତ ଟେକ୍ନିସିଆନ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଭାବଶାଳୀ ଢଙ୍ଗରେ ସେମାନେ ଲୋକଙ୍କ ସେବା କରିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଞ୍ଚାଳନ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଧନ୍ୟବାଦ ଦେଇଥିଲେ।

Related Posts