‘କୁମ୍ଭୀର କାନ୍ଦଣା ବନ୍ଦ୍ କର, ସର୍ବଦଳୀୟ ବୈଠକ ଡାକି ଚାଷୀଙ୍କ ପାଇଁ ଆଇନ ଆଣ’: ନରସିଂହ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୀତ ଅଧିବେଶନରେ କାଲି ଅର୍ଚ୍ଚନା ଓ ଆଜି ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ୍ ହୋଇଛି । ଆଜି ହଟ୍ଟଗୋଳ ଭିତରେ ପ୍ରଥମେ ପ୍ରଶ୍ନକାଳ ଓ ପରେ ଧୋଇ ହୋଇ ଯାଇଛି ଶୂନ୍ୟକାଳ । ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧୧.୩୦ ଓ ପରେ ଅପରାହ୍ନ ୪ଟା ଯାଏ ମୁଲତବି ରଖିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । ବିଧାନସଭା ଭିତରେ ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ ପରେ ଗୃହ ମୁଲତବି ହେବା ପରେ ବାହାରେ ବି ବିଜେପି ପ୍ରତିବାଦ କରିଥିଲା । ଗୃହ ଭିତରେ ଚାଷୀ ପ୍ରସଙ୍ଗରେ ଚୁପ୍ ଥିବା ଶାସକ ଦଳ ବିଧାନସଭା ବାହାରେ ବିରୋଧୀଙ୍କ ଢଙ୍ଗରେ ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ପ୍ରତିବାଦ କରିଛି ।

ବିଜେଡି, ବିଜେପିର ପ୍ରତିବାଦ ପତିଆରା ଲଢ଼େଇ ଠାରୁ ଦୂରେଇ ରହିଥିବା କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିଧାନସଭାରେ ୪ଟି ଦଳର ପ୍ରତିନିଧି ରହିଛନ୍ତି। ସମସ୍ତଙ୍କ ହୃଦୟ ଚାଷୀଙ୍କ ପାଇଁ କାନ୍ଦୁଛି । ସମସ୍ତ ଦଳ ଚାଷୀଙ୍କ ସପକ୍ଷରେ ଅଛନ୍ତି, ଚାଷୀ ମଧ୍ୟ ସେମାନଙ୍କ ଦାବି ରଖିଛନ୍ତି । ବିଧାନସଭାରେ ବିରୋଧୀ, ଶାସକ ପରସ୍ପରକୁ ଗାଳି ନଦେଇ ମୁଖ୍ୟମନ୍ତ୍ରୀ ସବୁ ଦଳର ନେତାଙ୍କୁ ଡାକି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ନରସିଂହ ମିଶ୍ର ।

ସେ ଆହୁରି କହିଛନ୍ତି ଯେ, ସର୍ବଦଳୀୟ ବୈଠକରେ ଆଲୋଚନା କରି ଚାଷୀଙ୍କ ଦାବି ଗ୍ରହଣ କରାଯାଉ । ଦିନେ ଦୁଇଦିନ ଭିତରେ ବିଧିବଦ୍ଧ ଭାବେ ଆଇନ୍ ତିଆରି କରାଯାଉ । ଆଇନରେ ବ୍ୟବସ୍ଥା ରହୁ ଯିଏ ଉକ୍ତ ଆଇନ୍ କୁ ଅମାନ୍ୟ କରିବ ତାକୁ ୭ ବର୍ଷ ଜେଲ୍ ସହ ଜରିମାନା କରାଯିବ । ଏଥିରେ ସମସ୍ୟାର ସମାଧାନ ହୋଇଯିବ । ଯିଏ ରାଜି ହେବନି ସେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଧରାଯିବ । ଯଦି ମୁଖ୍ୟମନ୍ତ୍ରୀ ବୈଠକ ଡାକିବେ ନାହିଁ ତ ଧରି ନିଆଯିବ ମୁଖ୍ୟମନ୍ତ୍ରୀ ଚାଷୀ ସମସ୍ୟାର ସମାଧାନ ହେଉ ବୋଲି ଚାହୁଁ ନାହାଁନ୍ତି ଓ ତାଙ୍କ ଦଳର ସଦସ୍ୟ ମାନେ ନାଟକ କରୁଛନ୍ତି।

Related Posts