ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ଇସ୍ତାହାର । ତେବେ ପୂର୍ବତନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ ପକ୍ଷରୁ ମହିଳା, ଯୁବପିଢ଼ି ଏବଂ ସମାଜର ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଅନେକ ଲୋକପ୍ରିୟ ପ୍ରତିଶ୍ରୁତି ଦିଆଯାଇଛି । ଏଥିରେ ମହିଳାମାନଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା ଏବଂ ପ୍ରତିବର୍ଷ ତିନୋଟି ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ସେପଟେ ବର୍ଦ୍ଧିତ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ପ୍ରତ୍ୟେକ ପରିବାରକୁ ୧୦ ହଜାରର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ମହିଳାମାନଙ୍କୁ ଇ-ସ୍କୁଟର କିଣିବା ପାଇଁ ୨୫ ହଜାର ଟଙ୍କାର ସବସିଡି ଘୋଷଣା କରାଯାଇଛି। ଜଲିକଟ୍ଟୁ ଷଣ୍ଢ ପାଳନକାରୀଙ୍କ ପାଇଁ ୨ ହଜାର ମାସିକ ସହାୟତା ଏବଂ ଅଂଶଗ୍ରହଣକାରୀଙ୍କ ମୃତ୍ୟୁ ପାଇଁ ୧୦ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଯଦି ବିଜେପି କ୍ଷମତାକୁ ଆସିବ ତେବେ ତାମିଲନାଡୁରେ ପ୍ରଥମ ଥର ପାଇଁ ଘର କିଣିଥିବା ମହିଳାମାନଙ୍କ ପାଇଁ ୩% ଷ୍ଟାମ୍ପ ଡ୍ୟୁଟି ରିହାତି ପ୍ରତିଶ୍ରୁତି ଦଳ ଦେଇଛି। ଏହା ସହିତ ଘରୋଇ ସାମଗ୍ରୀ ଉପରେ ୮ ହଜାର ଟଙ୍କା ମୂଲ୍ୟର କୁପନ୍ ଭଳି ଉପହାର ମଧ୍ୟ ଘୋଷଣା କରାଯାଇଛି । ପ୍ରମୁଖ ମନ୍ଦିରରେ ସ୍ଥାନୀୟ ଲୋକଙ୍କ ପାଇଁ ଦୈନିକ ଦୁଇ ଘଣ୍ଟା ଦର୍ଶନ ଅବଧି ଘୋଷଣା କରାଯାଇଛି । ଏହା ସହିତ ତିରୁପ୍ପରଙ୍କୁଣ୍ଡ୍ରମ ପାହାଡ଼ରେ ଦୀପ ଜଳାଇବା ସହିତ କାର୍ତ୍ତିକାଇ ଦୀପମ ରୀତି ଜାରି ରଖିବାକୁ ପ୍ରତିଶ୍ରୁତି ଇସ୍ତାହାରରେ ଦିଆଯାଇଛି।