ନୂଆଦିଲ୍ଲୀ: ଫ୍ରାନ୍ସର ଇଭିଆନ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟର୍ମଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ନେତା ଗତ ବର୍ଷ ପାରସ୍ପରିକ ଗସ୍ତ ପରଠାରୁ ଭାରତ-ବ୍ରିଟେନ ଦ୍ବିପାକ୍ଷୀକ ସମ୍ପର୍କ ବିଷୟରେ ସମୀକ୍ଷା କରିଥିଲେ । ‘ଭିଜନ 2035’ର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି, ପ୍ରତିରକ୍ଷା ଏବଂ ନିରାପତ୍ତା, ଜଳବାୟୁ କାର୍ଯ୍ୟ ଏବଂ ସବୁଜ ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଏବଂ ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ସ୍ୱାଗତ କରିଥିଲେ। ବିସ୍ତୃତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଉଭୟ ନେତା ଆଶା ପ୍ରକଟ କରିଛନ୍ତି। ସେମାନେ ଦୃଢ଼ ଶିକ୍ଷାଗତ ସହଭାଗୀତା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ । ବେଙ୍ଗାଲୁରୁରେ ଲିଭରପୁଲ ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ ପ୍ରତିଷ୍ଠା ଏବଂ ମୁମ୍ବାଇରେ ୟର୍କ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ସମ୍ପର୍କରେ ହୋଇଥିବା ସାମ୍ପ୍ରତିକ ପ୍ରଗତିକୁ ଉଲ୍ଲେଖ କରିଥିଲେ। ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ବ୍ରିଟେନର ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତ-ବ୍ରିଟେନର କ୍ରିକଟିକାଲ୍ ମିନେରାଲ୍ସ ଗ୍ଲୋବାଲ୍ ସପ୍ଲାଏ ଚେନ୍ ଅବଜରଭେଟୋରୀ ସମେତ ଟେକ୍ନୋଲୋଜି ସୁରକ୍ଷା ପଦକ୍ଷେପ ଅଧୀନରେ ଜାରି ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଭାରତ-ୟୁକେ ମଧ୍ୟରେ ବିସ୍ତୃତ ଷ୍ଟ୍ରାଟେଜୀର ଭାଗିଦାରୀକୁ ଆହୁରି ମଜଭୁତ କରିବା ନେଇ ଉଭୟ ଦେଶ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
