ଉଲାନବାଟର(ସତ୍ୟପାଠ ବ୍ୟୁରୋ): ମଙ୍ଗୋଲିଆ ଗସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର। ଅଧିକ ସୁଦୃଢ଼ ହେବାକୁ ଯାଉଛି ଭାରତ-ମଙ୍ଗୋଲିଆ ସମ୍ପର୍କ ଓ ସହଭାଗିତା। ଭାରତ-ମଙ୍ଗୋଲିଆ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହାସହିତ ଲୋକ-କୈନ୍ଦ୍ରିକ ବିକାଶ ସହଭାଗୀତାକୁ ଗଭୀର କରିବା ପାଇଁ ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି। ରଣନୈତିକ-ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ଜୟଶଙ୍କର ମଙ୍ଗୋଲିଆର ଶିକ୍ଷା ମନ୍ତ୍ରୀ ଏଲ୍. ଏଙ୍ଖ-ଆମଗାଲାନ୍ ଓ ପୂର୍ବତନ ରାଷ୍ଟ୍ରପତି ଏନ୍. ଏଙ୍ଖବାୟାରଙ୍କ ସହ ଆଲୋଚନା କରିବା ସହିତ ଏହି ବୈଠକଗୁଡ଼ିକୁ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଗସ୍ତକାଳରେ ବୈଦେଶିକ ମନ୍ତ୍ରୀ ମଙ୍ଗଳବାର ଦିନ ମଙ୍ଗୋଲିଆରେ ଭାରତୀୟ ସହାୟତାରେ ନିର୍ମିତ ୧.୭ ବିଲିୟନ ଡଲାରର ରିଫାଇନାରୀ ପ୍ରକଳ୍ପର ନିର୍ମାଣ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ତାଙ୍କ ସହିତ ମଙ୍ଗୋଲିଆର ପ୍ରତିପକ୍ଷ ବାଟସେଟସେଗ ବାଟମୁନଖ ଏବଂ ଶିଳ୍ପ ଏବଂ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମଡିନ୍ୟାମ ମଧ୍ୟ ଥିଲେ। ଏନେଇ ଜୟଶଙ୍କର କହିଛନ୍ତି, ଭାରତ-ମଙ୍ଗୋଲିଆ ବନ୍ଧୁତାର ପ୍ରତୀକ ସ୍ୱରୂପ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଗକୁ ବଢ଼ୁଛି। ପ୍ରକଳ୍ପରେ ସାମିଲ ଥିବା ବିଭିନ୍ନ ଟିମ ସହିତ ଚାଲିଥିବା କାର୍ଯ୍ୟର ସ୍ଥିତି ପ୍ରଶଂସନୀୟ। ଏହାସହିତ ସେ ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଓ କଷ୍ଟକର ପରିସ୍ଥିତିରେ ଏତେ ବଡ଼ ପ୍ରକଳ୍ପକୁ ସାକାର କରିବାରେ ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ମଙ୍ଗୋଲିଆ ତୈଳ ବିଶୋଧନାଗାର ପ୍ରକଳ୍ପ ଭାରତରୁ ୧.୭ ବିଲିୟନ ଡଲାରର କ୍ରେଡିଟ୍ ସହାୟତାରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏହା ମଙ୍ଗୋଲିଆର ସ୍ଥାୟୀ ଶକ୍ତି ରଣନୀତିର ଏକ ଅଂଶ। ଅନ୍ୟପଟେ ଏହି ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ମଙ୍ଗୋଲିଆର ଗଣ୍ଡାନ ମଠ ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ମଠର ମୁଖ୍ୟ ମଠାଧୀଶ ଖାମ୍ବା ନୋମୁନ ଖାନ ଗେଶେ ଲହାରମ୍ପା ଡେ ଜାଭଜାଣ୍ଡୋର୍ଜଙ୍କୁ ଭେଟିଥିଲେ। ସେ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କରେ ମଠର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ଜୟଶଙ୍କର ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟ ପାଇଁ ଆଜି ଦକ୍ଷିଣ କୋରିଆ ଯାତ୍ରା କରିଛନ୍ତି।