ନୂଆଦିଲ୍ଲୀ : ଏସିଡ ଜ୍ବଳାରୁ ପଦ୍ମ ସମ୍ମାନ। ଏ ହେଉଛି ପ୍ରଫେସର ମଙ୍ଗଳା କପୂରଙ୍କ ଅକୁହା କାହାଣୀ । ମଙ୍ଗଳବାର ଦେଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ୬୫ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ପଦ୍ମ ପୁରସ୍କାର ପାଇଁ ଜଣଙ୍କ ପରେ ଜଣଙ୍କ ନାଁ ଡକାଯାଇଥିବାବେଳେ, ଷ୍ଟେଜ ଉପରକୁ ଆମନ୍ତ୍ରଣ କରାଯାଇଥିଲା ମଙ୍ଗଳା କପୁରଙ୍କୁ । ସମ୍ମାନ ଗ୍ରହଣ କରିବାକୁ ଆସିବାବେଳେ କରତାଳିରେ ଫାଟି ପଡ଼ିଥିଲା ପରିବେଶ। ମଙ୍ଗଳା କପୁରଙ୍କୁ କୁହାଯାଏ କାଶୀର ଲତା। ସେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଗଲାବେଳେ ମୋଦି ତାଙ୍କ ହାତ ଧରି ନିଜ ମଥାରେ ଲଗାଇ ତାଙ୍କୁ ପ୍ରତିପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ। ମଙ୍ଗଳା କପୁରଙ୍କୁ ପଦ୍ମ ପୁରସ୍କାର ମିଳିବା ଏକ ଖାସ ମୂହୁର୍ତ୍ତ ସୃଷ୍ଟି କରିଥିଲା। ତାଙ୍କର ଅଦମ୍ୟ ସାହସ, ସଂକଳ୍ପ ଏବଂ ସଙ୍ଗୀତ ପ୍ରତି ନିଷ୍ଠା ପାଇଁ ସେ ଏଠାରେ ପହଞ୍ଚି ପାରିଛନ୍ତି। ତାଙ୍କର ଆଉ ଏକ ପରିଚୟ ହେଉଛି ଏସିଡ ପୀଡ଼ିତା, କିନ୍ତୁ ସେ ନିଜେ ଏ ପୀଡ଼ିତା ପରିଚୟରୁ ନିଜକୁ ବାହର କରି ଭରତୀୟ ଶୀସ୍ତ୍ରୀୟ ସଙ୍ଗୀତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜୀବନର କୌଣସି ବାହାନା ତାଙ୍କୁ ସଫଳତାରୁ ଦୂରେଇ ରଖିପାରିନି। ବନାରସ ହିନ୍ଦୁ ୟୁନିଭର୍ସିଟିରେ ଆସୋସିଏଟଡ ପ୍ରଫେସର ଭାବେ କାର୍ଯ୍ୟରତ ମଙ୍ଗଳା କପୁର ସାହିତ୍ୟ , ଶିକ୍ଷା ଏବଂ ସଙ୍ଗୀତ କ୍ଷେତ୍ରରେ ବିଶେଷ କୃତିତ୍ବ ଅର୍ଜନ କରିଛନ୍ତି। ତାଙ୍କୁ ପଦ୍ମ ସମ୍ମାନ ମିଳିବା ସବୁଠାରୁ ବଡ଼ ଉପଲବ୍ଧୀ ବୋଲି ସେ କହିଛନ୍ତି।
