ଲକ୍ଷ୍ନୌ(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାରେ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡ଼କୁ ଆସିଥିବାବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଜଣେ ଟ୍ରଷ୍ଟି ଅନିଲ ମିଶ୍ର ଶୁକ୍ରବାର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦାନ ଅର୍ଥ ଆତ୍ମସାତ ଘଟଣାରେ ଏକ ପ୍ରାଥମିକ ରିପୋର୍ଟ ପଞ୍ଜିକୃତ ହେବା ପରେ ସେମାନେ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଏସଆଇଟି ରିପୋର୍ଟ ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜନସାଧାରଣଙ୍କ ବିଶ୍ୱାସ ସହିତ ଖେଳକୁ ବରଦାସ୍ତ କରାଯିବ ନାହିଁ। ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି। ସେମାନେ ସମସ୍ତେ ଦାନ ରାଶି ଗଣନାରେ ସାମିଲ ଥିବା ସୂଚନା ମିଳିଛି। ତେବେ ଗିରଫ ହୋଇଥିବା ୬ ଜଣ କ୍ୟାସିଅର ରହିଛନ୍ତି । ଜଣାପଡିଛି ଯେ, ଯେତେବେଳେ ଟିନୁ ଯାଦବଙ୍କ କାମ ନଗଦ ଗଣନା ତଦାରଖ କରିବା ଏବଂ ବ୍ୟାଙ୍କକୁ ନେବା ଦାୟିତ୍ତ୍ବରେ ଥିଲେ ସେହି ସମୟରେ ଗିରଫ ସୁଭାଷ ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ସମସ୍ତ ଛଅ ଜଣ କ୍ୟାସିୟର ରାମ ମନ୍ଦିରରେ ପ୍ରାପ୍ତ ଦାନର ହିସାବ ରଖୁଥିଲେ। ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା। ଚୋରି ମାମଲା ପ୍ରକାଶ ପାଇବା ପରେ ତଦନ୍ତ ପାଇଁ ଏସଆଇଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇ ପୋଲିସ ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ସେମାନଙ୍କୁ ଗିରଫ କରିଥିଲା। ଟିନୁ ଯାଦବ ନାମରେ ଜଣାଶୁଣା ରାମଶଙ୍କର ଯାଦବ ଅଧିକ ଦାନରାଶି ଚୋରି କରିଥିଲେ ବୋଲି ଏହି ମାମଲାର ତଦନ୍ତରୁ ଜଣାପଡିଛି । ଯେଉଁ ବାକ୍ସରେ ଦାନରାଶି ରଖାଯାଉଥିଲା ତାହାର ଚାବି ମଧ୍ୟ ତାଙ୍କ ପାଖରେ ଥିଲା। ମନ୍ଦିରରେ କାହାକୁ ଚାକିରି ଦିଆଯିବ ଏବଂ ଦାନରାଶି ଗଣନା ପାଇଁ କିଏ ଦାୟୀ ହେବ ତାହା ନିଷ୍ପତ୍ତି ନେବା ଦାୟିତ୍ୱରେ ସେ ଥିଲେ । ତେଣୁ ଏହି ଚୋରି ମାମଲାରେ ପ୍ରଥମେ ତାଙ୍କୁ ସନ୍ଦେହ କରାଯାଇଥିଲା ଏବଂ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
