ରାୟଗଡ଼ା(ସତ୍ୟପାଠବ୍ୟୁରୋ): ମାଓ ସଂଗଠନ ଛାଡ଼ିଛନ୍ତି ବଂଶଧାରା-ଘୁମୁସର ନାଗାବଳୀ(ବାଘୁନା) ଡିଭିଜନର ଟପ୍ ମାଓନେତା ନିଖିଲ ଓ ତାଙ୍କ ପତ୍ନୀ ଇନ୍ଦୁ। ସେମାନଙ୍କ ସମେତ ଆହୁରି ୧୫ ଜଣ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏହାପରେ ଅନ୍ୟମାନେ ଆତ୍ମସମର୍ପଣ କରିବାକୁ ଯୋଜନା କରିଥିଲେ ବି ତାହା ଫେଲ୍ ମାରିଛି। ଏବେ ବି ୧୨ ଜଣ କ୍ୟାଡର ମାଓବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ସମ୍ପର୍କରେ ପୋଲିସ୍ ନିକଟରେ କୌଣସି ଖବର ନାହିଁ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସରକାର ଆତ୍ମସମର୍ପଣ ପାଇଁ ଯେଉଁ ଘୋଷଣା କରିଥିଲେ ସେଥିପ୍ରତି ଧ୍ୟାନ ଦେଇ ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି। ସେମାନେ ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ବର୍ତ୍ତମାନ ରହିଥିବା ଆଲୋଚନା ହେଉଛି। ଆତ୍ମସମର୍ପଣ କରିବା ଲାଗି ନିଖିଲ ସେମାନଙ୍କୁ ଅପିଲ୍ କରିଥିଲେ। ଏହାକୁ ସେମାନେ କର୍ଣ୍ଣପାତ କରିନାହାନ୍ତି। ଗୁଇନ୍ଦା ଆଖି ସେମାନଙ୍କୁ ଧରିବାକୁ ଘୂରି ବୁଲୁଛି। ବିଭିନ୍ନ ସମୟରେ ସର୍ଚ୍ଚ ଅପରେସନ ଜାରି ରହିଛି । ବାଘୁନା ଡିଭିଜନରେ ମୋଟ ୨୫ରୁ ୨୭ ଜଣ ମାଓବାଦୀ ଥିଲେ। ଗତ ଫେବୃଆରୀ ୬ ତାରିଖରେ ୧୫ ଜଣ ଆତ୍ମସମର୍ପଣ କରିଥିଲେ। ବର୍ତ୍ତମାନ ଆହୁରି ୧୨ ଜଣ ରହିଛନ୍ତି। ସେମାନଙ୍କୁ ଆତ୍ମସମର୍ପଣ କରିବା ଲାଗି ଅପିଲ୍ ପରେ ମଧ୍ୟ ନଶୁଣି ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ଜଙ୍ଗଲରେ ଲୁଚି ରହିଛନ୍ତି । ଏଭଳିକି ନିଖିଲ ଅଡିଓ ଜାରି କରି ସଶସ୍ତ୍ର ଆନ୍ଦୋଳନ ଛାଡ଼ି ପାଇଁ ନିବେଦନ କରିଥିଲେ। ସାମାଜିକ, ଆର୍ଥିକ ଓ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଲବ କରିବା କଷ୍ଟକର ବୋଲି ବୁଝାଇଥିଲେ। ସଶସ୍ତ୍ର ଆନ୍ଦୋଳନ ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁଯାୟୀ ରାସ୍ତା ଆପଣାଇବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ଏହି ୧୨ ଜଣଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ଏହି ୧୨ ଜଣିଆ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ଶିଲା। ତାଙ୍କ ସହ ରହିଛନ୍ତି ମାଙ୍ଗୁ, ସୁଷମା, ରଜିତା, ସନ୍ତୋଷ, ଜିବିନି ଓ ସସ୍ମିତା । ଅନ୍ୟମାନଙ୍କ ପରିଚୟ ହସ୍ତଗତ ହୋଇ ନାହିଁ। ପୂର୍ବରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼ରେ ଅନେକ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନେକ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବର୍ତ୍ତମାନ ମଧ୍ୟ ବାଘୁନା ଡିଭିଜନ କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟ ହୋଇଛି । ଶିଲାଙ୍କ ନେତୃତ୍ୱରେ ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ସେମାନେ ରହିଥିବା ଗୁଇନ୍ଦା ବିଭାଗ ଖବର ପାଇଛି । ସେମାନେ ଆତ୍ମସମର୍ପଣ ପାଇଁ ବାଟ ଖୋଜୁଥିବା ଜଣାପଡ଼ିଛି ବୋଲି ଆଲୋଚନା ହେଉଛି । ସେଥିରେ କେତେ ସତ୍ୟତା ଅଛି ତାହା ଜଣାପଡ଼ିନି। ଏହି ମାଓ ଗୋଷ୍ଠୀକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଛି । ୩ ଜିଲ୍ଲା ପୁଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । କିଛିଦିନ ପୂର୍ବରୁ ପୁଲିସ୍ ଡିଜି ୱାଇ.ବି ଖୁରାନିଆ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ମାଓବାଦୀଙ୍କୁ ଅପିଲ କରିଥିଲେ । ପୂର୍ବରୁ ଏ ସମ୍ପର୍କରେ ଏଡିଜି ସଞ୍ଜୀବ ପଣ୍ଡା କହିଥିଲେ, ସମସ୍ତ ମାଓବାଦୀ ଆତ୍ମସମର୍ପଣ କରିବା ପାଇଁ ଆମେ ଲଗାତାର ଅପିଲ୍ କରୁଛୁ । ସେମାନଙ୍କୁ ସରକାର ସ୍ୱାଗତ ମଧ୍ୟ କରୁଛନ୍ତି ବୋଲି କହିଥିଲେ ।
