ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ସାରା ରାଜ୍ୟ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଅନେକ ସ୍ଥାନରେ ସ୍ଥିତି ବେହାଲ ହୋଇଥିବା ଦେଖିବାକୁ ମିଳିଛି। ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।ସେହିପରି ଗଞ୍ଜାମରେ ୧୪୫.୪ ମିମି, ବରଗଡ଼ର ବରପାଲିରେ ୧୪୫ମିମି, ଛତ୍ରପୁରରେ ୧୩୪ମିମି, ବଲାଙ୍ଗୀରରେ ୧୨୨ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୋନପୁରକୁ ରେଡ ଆଲର୍ଟ ଘୋଷଣା କରାଯାଇଛି। ସେହିପରି ରାୟଗଡ଼ା, ଗଡପତି, ଗଞ୍ଜାମ, ନୟାଗଡ଼, କଟକ, କେନ୍ଦୁଝର ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ବାକି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହି ଲଘୁଚାପ ଜନିତ ବର୍ଷ ଆସନ୍ତା ୫ ତାରିଖ ସନ୍ଧ୍ୟା ଯାଏଁ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଆସନ୍ତା ୬ ତାରିଖରେ ଏହି ଲଘୁଚାପ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଅନ୍ୟପଟେ ଯାଜପୁରରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିବା ଦେଖିବାକୁ ମିଳିଛି। ଶିବ ମନ୍ଦିରରେ ୪ ଫୁଟର ପାଣି ଥିବାବେଳେ ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷାରେ ପୋଲ ଭୁଶୁଡ଼ି ପଡ଼ିଥିବାବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଶଗଡ଼ା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ଧୋଇଗଲା ନିର୍ମାଣାଧୀନ ବ୍ରିଜ୍ର ଡାଇଭର୍ସନ ରାସ୍ତା । କୁଲିଆପାଲି ବ୍ରିଜ୍ର ଡାଇଭର୍ସନ ରାସ୍ତା ଉପରେ ଚାଲିଛି ପ୍ରାୟ ୩ ଫୁଟ୍ର ବର୍ଷା ପାଣି। ଯାହାଫଳରେ ରାସ୍ତାର ଦୁଇପଟେ ଅଟକିଛି ଶହଶହ ଗାଡ଼ି ମଟର। ସୂଚନା ଅନୁଯାୟୀ ପାହାଡ଼ି ନାଳରେ ଅତ୍ୟଧିକ ବର୍ଷାଜଳ ପ୍ରବାହିତ ହେବା ଯୋଗୁଁ କୁଲିଆପାଲି ଗ୍ରାମ ନିକଟରେ ନିର୍ମାଣ ଚାଲିଥିବା ବ୍ରିଜ୍ର ଡାଇଭର୍ସନ ରାସ୍ତାଟି ସମ୍ପୂର୍ଣ୍ଣ ଧୋଇଯାଇଛି। ଛାତ୍ରଛାତ୍ରୀମାନେ ସ୍କୁଲ-କଲେଜ ଯିବାଆସିବା କରିବାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବସ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆଗାମୀ ଦିନରେ ଖୁବ୍ଶୀଘ୍ର ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବିକରିଛନ୍ତି। ଅନ୍ୟପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ ହୋଇପଡ଼ିଛି । ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ଲୋକଙ୍କ ସୁରକ୍ଷା ଓ ତୁରନ୍ତ ସହାୟତା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିଏମ୍ସି କମାଣ୍ଡ ଏଣ୍ଡ୍ କଣ୍ଟ୍ରୋଲ ସେଣ୍ଟରରୁ ସହରର ସ୍ଥିତି ଉପରେ ଲଗାତାର ଲାଇଭ୍ ମନିଟରିଂ କରାଯାଉଛି । ଏଥିସହ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ୭ଟି ରାପିଡ୍ ଆକ୍ସନ ଟିମ୍କୁ ୨୪ ଘଣ୍ଟା ଆଲର୍ଟରେ ରଖାଯାଇଛି । ସହରର ୧୭ଟି ସମ୍ବେଦନଶୀଳ ସ୍ଥାନରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା କରାଯାଇଛି । କୌଣସି ଅସୁବିଧା ହେଲେ ନାଗରିକମାନେ ବିଏମ୍ସିର ହେଲ୍ପଲାଇନ୍ ନମ୍ବର ୧୯୨୯ରେ ଯୋଗାଯୋଗ କରିପାରିବେ । ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁ ସ୍ଥାନରେ ପାଣି ଜମା ହେଉଛି ସେଠାରେ ବିଏମସି କର୍ମଚାରୀଙ୍କୁ ସହଯୋଗ କରନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ହେଲ୍ପଲାଇନ୍ର ସହାୟତା ନିଅନ୍ତୁ ।
