କଟକ(ସତ୍ୟପାଠବ୍ୟୁରୋ) :  ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ  ‘ଇ-ଜିରୋ ଏଫ୍‌ଆଇଆର୍’ ବ୍ୟବସ୍ଥା ଲାଗୁ କରାଯାଇଛି। ବିଶେଷ କରି ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଲାଗୁ କରାଗଲା ବୋଲି ଡିଜିପି ଯୋଗେଶ ବହାଦୁର ଖୁରାନିଆ କହିଛନ୍ତି।

 

ନୂଆ ବ୍ୟବସ୍ଥା ଅନୁସାରେ ଆର୍ଥିକ ଠକେଇର ଶିକାର ହେବା ମାତ୍ରେ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ  ଯୋଗାଯୋଗ କରିବାକୁ ହେବ। ସିସିଟିଏନଏସ ଦ୍ୱାରା ଏହା ପଞ୍ଜୀକରଣ ହେବା ସହ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଯିବ। ତେବେ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ଗୁଡିକ କ୍ଷେତ୍ରରେ ଏହା ଲାଗୁ ହେବ। ଭବିଷ୍ୟତରେ ଏହାକୁ ଆହୁରି ସରଳିକରଣ କରାଯିବ ବୋଲି ଡିଜିପି କହିଛନ୍ତି। ୧୯୩୦ରେ ପଞ୍ଜୀକୃତ ହେଲେ, ସିସିଟିଏନଏସରେ ସ୍ୱୟଂଚାଳିତ ଭାବେ ‘ଇ-ଜିରୋ ଏଫ୍‌ଆଇଆର୍’ ଅନୁରୋଧ ସୃଷ୍ଟି ହେବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍‌କୁ ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍‌ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ। ଆବଶ୍ୟକତା ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର କରାଯିବ ବୋଲି ଡିଜିପି କହିଛନ୍ତି।