ମହାପ୍ରଭୁଙ୍କ ଘୋଷଯାତ୍ରା। ଜ୍ବରରୁ ଉପଶମ ପରେ ରଥାରୁଢ଼ ହୋଇ ଜନ୍ମବେଦୀକୁ ଯାଇଥାନ୍ତି ଶ୍ରୀଜିଉ। ଶାସ୍ତ୍ର ଅନୁସାରେ ତିନି ଠାକୁରଙ୍କ ପ୍ରକୃତି ଏବଂ ସ୍ବରୂପ ଅନୁସାରେ ସେମାନଙ୍କର ରଥର ରଙ୍ଗ ନିର୍ଦ୍ଧାରିତ ହୋଇଥାଏ । ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ଏହାର ରଙ୍ଗ ପୀତ ଓ ଲୋହିତ । ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କର ପ୍ରତୀକ ଏବଂ ଲାଲ ରଙ୍ଗ ହେଉଛି ଶକ୍ତି ଓ ସଂକଳ୍ପର ପ୍ରତୀକ। ବଳଭଦ୍ରଙ୍କ ରଥ  ରଙ୍ଗ ନାଲି ଓ ସବୁଜ । ସବୁଜ ରଙ୍ଗ ହେଉଛି କୃଷି ଓ ବସୁନ୍ଧରାର ପ୍ରତୀକ । ବଳଭଦ୍ର ହେଉଛନ୍ତି ସ୍ବୟଂ ହଳଧର । ତାଙ୍କୁ ଋଷୀ ଓ ଚାଷୀଙ୍କ ଦେବତା ରୂପେ ଅଭିହିତ କରାଯାଏ। ସୁଭଦ୍ରାଙ୍କ ରଥର ରଙ୍ଗ କଳା ଓ ନାଲି । କଳାରଙ୍ଗ ହେଉଛି ମା’ ଆଦିଶକ୍ତି ଓ ଭୁବନେଶ୍ଵରୀଙ୍କ ପ୍ରତୀକ । ସିଏ ରହସ୍ୟମୟ ଏବଂ ସର୍ବବ୍ୟାପୀ  ଶକ୍ତିର ପ୍ରତିନିଧିତ୍ବ କରିଥାଆନ୍ତି । ରଥଯାତ୍ରା ପାଇଁ ନିର୍ମାଣ କରାଯାଉଥିବା ତିନିଟି ରଥର ବିଶେଷତ୍ବ । ଜଗନାଥଙ୍କ ରଥର ନାମ – ନନ୍ଦିଘୋଷ, ଅନ୍ୟନାମ ଚକ୍ରଧ୍ବଜ, ଗରୁଡଧ୍ୱଜ, କପିଧ୍ବଜ। ରଥର ଉଚ୍ଚତା  ୪୫ ଫୁଟ ୬ ଇଞ୍ଚ ହୋଇଥିବାବେଳେ ବ୍ୟବହୃତ କାଠ ସଂଖ୍ୟା- ୮୩୨ ଖଣ୍ଡ,ଚକ ସଂଖ୍ୟା – ୧୬ ଟି, ରଥର ସାରଥୀ- ଦାରୁକ, ରଥର ରକ୍ଷକ- ଗରୁଡ/ନୃସିଂହ, ଘୋଡାମାନଙ୍କର ନାମ-  ଶଙ୍ଖ, ବଳାହକ, ଶ୍ବେତ, ହରିଦ୍ବାଶ, ଦ୍ବାରପାଳ – ଜୟ, ବିଜୟ। ନନ୍ଦିଘୋଷର ଦଉଡ଼ି – ଶଙ୍ଖଚୂଡ ବୋଲି କୁହାଯାଏ। ସେହିପରି ବଳଭଦ୍ରଙ୍କ ରଥର ନାମ- ତାଳଧ୍ବଜ, ଲଙ୍ଗଳ ଧ୍ବଜ ହୋଇଥିବାବେଳେ ରଥର ଉଚ୍ଚତା – ୪୫ ଫୁଟ। ଏଥିରେ ବ୍ୟବହୃତ କାଠସଂଖ୍ୟା – ୭୬୩ ଖଣ୍ଡ । ଚକ ସଂଖ୍ୟା- ୧୪ ଟି, ରଥର ସାରଥୀ – ମାତଳୀ, ରଥର ରକ୍ଷକ-ବାସୁଦେବ, ଘୋଡାମାନଙ୍କର ନାମ-ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ବର୍ଣ୍ଣନାଭ । ଦ୍ବାରପାଳ -ନନ୍ଦ, ସୁନନ୍ଦ ହୋଇଥିବାବେଳେ ଏହାର

ଦଉଡି – ବାସୁକୀ। ସୁଭଦ୍ରାଙ୍କ ରଥର ନାମ- ଦେବଦଳନ, ଦର୍ପଦଳନ, ପଦ୍ମଧ୍ବଜ ବା କମଳ ଧ୍ବଜ । ରଥର ଉଚ୍ଚତା ୪୪ ଫୁଟ ୬ ଇଞ୍ଚ, ଏଥିରେ ବ୍ୟବହୃତ କାଠ ସଂଖ୍ୟା- ୫୯୩, ଚକ ସଂଖ୍ୟା -୧୨ ଟି ଓ ରଥର ସାରଥୀ-ଅର୍ଜୁନ, ରଥର ରକ୍ଷକ-ଜୟଦୁର୍ଗା, ଘୋଡାମାନଙ୍କର ନାମ-ରୁଚିକା, ମୋଚିକା, ଜିତା, ଅପରାଜିତା। ଦ୍ବାରପାଳ-ଗଙ୍ଗା, ଯମୁନା ହୋଇଥିବାବେଳେ ଦଉଡିକୁ ସ୍ବର୍ଣ୍ଣଚୂଡ କୁହାଯାଇଥାଏ। ସେହି ଲୀଳାମୟ କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ କୋଟି ଦଣ୍ଡବତ ।