ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶବ୍ୟାପୀ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଗୁଜରାଟରେ ସ୍ଥିତି ସବୁଠାରୁ ଅଧିକ ସଙ୍କଟଜନକ ରହିଛି । ଗତ ୩୬ ଘଣ୍ଟାରେ ଭାଲସାଡ ଜିଲ୍ଲାର ଉମ୍ବରଗାଓଁ ତାଲୁକରେ ୧୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଫସି ରହିଥିବା ପ୍ରାୟ ୧୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଗୁଜରାଟର ୧୦ଟି ଜିଲ୍ଲା ପାଇଁ ‘ରେଡ୍ ଆଲର୍ଟ’ ଜାରି କରିଛି । ନବସାରୀ ଓ ଭାଲସାଡ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ସେଠାରେ ସ୍କୁଲ୍-କଲେଜ ବନ୍ଦ ରଖାଯାଇଛି ଏବଂ ହେଲିକପ୍ଟର ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ଅନ୍ୟପଟେ, ଆସାମରେ ବନ୍ୟା ସ୍ଥିତି ପ୍ରଳୟଙ୍କରୀ ରୂପ ନେଇଛି । ଗତ ୨୪ ଘଣ୍ଟାରେ ଆଉ ୬ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୪୭ରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ବି ୪୦ ଜଣ ନିଖୋଜ ଅଛନ୍ତି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ୧୧ଟି ଜିଲ୍ଲାର ୭.୨୧ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏହାଛଡ଼ା ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ବର୍ଷା-ବନ୍ୟା କୋପ ଦେଖିବାକୁ ମିଳିଛି । ୟୁପିରେ ଗଙ୍ଗା, ଯମୁନା ସହ ୧୦ଟି ନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ସୀତାପୁରରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗାରେ ଯାତାୟାତ କରୁଛନ୍ତି ।

 

ଦକ୍ଷିଣ-ପୂର୍ବ ରାଜସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଜୁଲାଇ ୨୪ ଓ ୨୫ ତାରିଖରେ ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରରେ ପୁନର୍ବାର ଭାରୀ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁଁ ପଶ୍ଚିମ ରେଲୱେର ଟ୍ରେନ୍ ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି । ଆଗାମୀ ଜୁଲାଇ ୨୪ରୁ ୩୦ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଲଦାଖ ଓ ଉତ୍ତରାଖଣ୍ଡ ଭଳି ପାର୍ବତ୍ୟ ଆଞ୍ଚଳରେ ବିସ୍ତୀର୍ଣ୍ଣ ବର୍ଷା ନେଇ ପାଣିପାଗ ବିଭାଗ ସଚେତନ କରାଇଛି ।