ମାଲକାନଗିରି(ସତ୍ୟପାଠ ବ୍ୟୁରୋ): ବଣ୍ଡା ଘାଟିରୁ ବ୍ରହ୍ମପୁର ଏମକେସିଜି ଯାତ୍ରା। ଡାକ୍ତରୀ ପରୀକ୍ଷା ନିଟ ପାସ କରି ଇତିହାସ ରଚିଲେ ମାଲକାନଗିରି ବଣ୍ଡା ଘାଟିର ମଙ୍ଗଳା ମୁଦୁଲି। ଦିନଥିଲା ବଣ୍ଡା ଘାଟିରେ ମାଟ୍ରିକ ପାସ କରିବା ବି ବଡ଼ କଥା ଥିଲା, ହେଲେ ଆଜି ଏହି ଅଞ୍ଚଳର ଛାତ୍ର ଡାକ୍ତରୀ ପଢ଼ିବେ। ମଙ୍ଗଳାଙ୍କ ପାଇଁ ବଣ୍ଡା ଘାଟି ଆଜି ଗର୍ବିତ। ବଣ୍ଡା ଜନଜାତିର ୧୯ ବର୍ଷୀୟ ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ସମସ୍ତଙ୍କୁ ପ୍ରେରଣା ଦେଇଛି। ବଣ୍ଡା ଜନଜାତିରୁ ଏମବିବିଏସ୍ ପଢ଼ିବା ପାଇଁ ନିଟ୍ ଉତ୍ତୀର୍ଣ୍ଣ ହେବା ତାଙ୍କ ପାଇଁ ଏତେ ସହଜ ନଥିଲା। ମାଲକାନଗିରି ଜିଲ୍ଲାର ବଡ଼ବେଲ ଗାଁର ଏକ ସୀମାନ୍ତ କୃଷକ ପରିବାରରୁ ଆସିଛନ୍ତି ମଙ୍ଗଳା। ତାଙ୍କ ସଫଳତା ପଛରେ ରହିଛି ଅଦମ୍ୟ ପରିଶ୍ରମ ସହ ତାଙ୍କ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କ ସହଯୋଗ। ମୁଦୁଲିପଡ଼ା ଏସଏସଡି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବେ ମଙ୍ଗଳାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଉତ୍କଳ କେଶରୀ। ନିଟ୍ ପାଇଁ ପ୍ରସ୍ତୁତି ନିମନ୍ତେ ଶିକ୍ଷକ ତାଙ୍କୁ ବାଲେଶ୍ୱରର ଏକ କୋଚିଂ ସେଣ୍ଟରକୁ ପଠାଇଥିଲେ। ଏପରିକି ମଙ୍ଗଳାଙ୍କୁ ମୋବାଇଲ ଫୋନ୍ ଓ ପାଠପଢ଼ା ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା । ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ କୋଚିଂ ସେଣ୍ଟର ପକ୍ଷରୁ ୧ ଲକ୍ଷ ୨୦ ହଜାର ଟଙ୍କାର ସମ୍ପୂର୍ଣ୍ଣ କୋଚିଂ ଫି ଛାଡ଼ କରାଯାଇଥିଲା । ଏବେ ମଙ୍ଗଳା ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଏମବିବିଏସ୍ ପଢ଼ିବେ । ତେବେ ମଙ୍ଗଳାଙ୍କ ସ୍ୱପ୍ନ କେବଳ ଡାକ୍ତର ହେବା ନୁହେଁ । ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅଭାବ ଯୋଗୁଁ ଲୋକେ ଭୋଗୁଥିବା ସମସ୍ୟାକୁ ସେ ନିଜ ଆଖିରେ ଦେଖିଛନ୍ତି । ଗାଁର ଲୋକଙ୍କୁ ଚିକିତ୍ସା ପାଇଁ ମାଇଲ୍ ମାଇଲ୍ ଚାଲିବାକୁ ପଡ଼ୁଥିବାରୁ ନିଜ ସମ୍ପ୍ରଦାୟ ପାଇଁ କାମ କରିବାକୁ ମଙ୍ଗଳାଙ୍କ ଇଚ୍ଛା । ସୀମିତ ସୁବିଧା ଓ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ମଙ୍ଗଳାଙ୍କ ଏହି ସଫଳତା ଆଜି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା । ଶିକ୍ଷାର ସୁଯୋଗ ମିଳିଲେ ଦେଶର ଅବହେଳିତ ଓ ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ନିଜ ସ୍ୱପ୍ନ ପୂରଣ କରିପାରିବେ, ମଙ୍ଗଳାଙ୍କ କାହାଣୀ ଏହାର ଏକ ବଡ଼ ଉଦାହରଣ ।
