ବାରିପଦା(ସତ୍ୟପାଠ ବ୍ୟୁରୋ ): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ, ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନେଇ ନଦୀ କୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। ବିଶେଷକରି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକରେ ପ୍ରବଳ ସ୍ରୋତ ସୃଷ୍ଟି ହୋଇଛି। ଏହାର ସିଧାସଳଖ ପ୍ରଭାବ ବୁଢ଼ାବଳଙ୍ଗ ନଦୀରେ ପଡ଼ିଛି। ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଫଳରେ ନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ବନ୍ୟା ଆଶଙ୍କା ଦେଖାଦେଇଛି। ଜଳସ୍ତର ଆହୁରି ବଢ଼ିଲେ ତଳିଆ ଅଞ୍ଚଳରେ ପାଣି ପଶିବା ସହ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇପାରେ ବୋଲି ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି । ଅନ୍ୟପଟେ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାବେଳେ ଲୋକମାନଙ୍କୁ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବାକୁ ଅନୁରୋଧ କରାଯାଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଉପରେ ପ୍ରଶାସନର କଡ଼ା ନଜର ରହିଥିବାବେଳେ, ନଦୀ କୂଳିଆ ଅଞ୍ଚଳର ଲୋକମାନେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସତର୍କ ରହିଛନ୍ତି ।