କୋରାପୁଟ(ସତ୍ୟପାଠ ବ୍ୟୁରୋ ): ଗାଁକୁ ବିକାଶ କରିବାର ଏକ ମାତ୍ର ମାଧ୍ୟମ ରାସ୍ତା। ଗାଁ ବିକାଶ ହେଲେ ଦେଶ ବିକାଶ ହେବ। ଏମିତି କେତେ କଣ ସ୍ଲୋଗାନ ଦେଉଛନ୍ତି ସରକାର। ଆଉ ଗାଁର ବିକାଶ ପାଇଁ ସରକାର ବି ଅନେକ ଯୋଜନା ହାତକୁ ନେଉଛନ୍ତି। ହେଲେ ପ୍ରଶାସନିକ ଅପାରଗତା ଯୋଗୁଁ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ପକ୍କା ରାସ୍ତାଟିଏ ସ୍ବପ୍ନ ପାଲଟିଛି। ମଶାଣିକୁ ଯିବାକୁ ରାସ୍ତା ନାହିଁ । ଜମି ହିଡ଼ ଦେଇ ଆଣ୍ଠୁଏ ପାଣିରେ ମୃତଦେହ କାନ୍ଧରେ ବୋହି ନେଲେ ପରିଜନ। ଲଗାଣ ବର୍ଷା ଯୋଗୁ ଜମି ରହିଥିବା ପାଣି ଭିତରେ ୨ କିଲୋମିଟର ବୋହିଲେ ମୃତଦେହ। କୋରାପୁଟ ଜିଲ୍ଲା ଗୌଡ଼ଗୁଡ଼ା ପଞ୍ଚାୟତର ଲଚମନି ଗାଁରେ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ଚିନ୍ତାଜନକ ଦୃଶ୍ୟ । ଗାଁର ମଶାଣିକୁ ଯିବା ପାଇଁ ରାସ୍ତା ନଥିବାରୁ ମୃତଦେହକୁ କାନ୍ଧରେ ବୋହି ଜମି ହିଡ଼ ଦେଇ ପ୍ରାୟ ଦୁଇ କିଲୋମିଟର ନେବାକୁ ପଡ଼ିଛି । ଗାଁର ମଙ୍ଗୁଳି ଖରାଙ୍କ ମୃତ୍ୟୁ ପରେ ତାଙ୍କର ଶେଷକୃତ୍ୟ ପାଇଁ ମୃତଦେହକୁ ମଶାଣିକୁ ନେବାର ଥିଲା । ହେଲେ ମଶାଣି ଯିବାକୁ ରାସ୍ତା ନାହିଁ। ଲଗାଣ ବର୍ଷା ଯୋଗୁଁ ସବୁଠି ଜଳ ବନ୍ଦୀ। ଶେଷରେ କିଛି ଉପାୟ ନ ପାଇ ଗ୍ରାମବାସୀମାନେ ମଙ୍ଗୁଳି ଖରାଙ୍କ ମୃତଦେହକୁ କାନ୍ଧରେ ବୋହି ଜମିର ସଂକୀର୍ଣ୍ଣ ହିଡ଼ ଦେଇ ମଶାଣି ଅଭିମୁଖେ ବାହାରିଥିଲେ। ପ୍ରାୟ ୨ କିଲୋମିଟର ଧରି ମୃତଦେହକୁ ଏଭଳି ବୋହି ନେବା ପରେ ଶେଷରେ ମଶାଣିରେ ପହଞ୍ଚିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଶାଣି ଯିବାକୁ ରାସ୍ତା ଖଣ୍ଡେ କରିବାକୁ ଦାବି ହୋଇଛି।
