ଭବାନୀପାଟଣା(ସତ୍ୟପାଠ ବ୍ୟୁରୋ) : ସରପଞ୍ଚଙ୍କ ସ୍ବାମୀ ତଥା ବରିଷ୍ଠ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡ଼ମକରଲାଖୁଣ୍ଟା ପଞ୍ଚାୟତରେ ଘଟିଛି ଏହି ହତ୍ୟାକାଣ୍ଡ। ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ନୃଶଂସ ଭାବରେ ହତ୍ୟା କରିଛନ୍ତି।
ପୁଣି ଥରେ ଓଡ଼ିଶାରେ ମୁଣ୍ଡ ଟେକିଛି ରାଜନୈତିକ ହିଂସା। ଶାସକ ଦଳର ନେତାଙ୍କ ରକ୍ତରେ ହୋରି ଖେଳିଛନ୍ତି ଦୁବୃର୍ତ୍ତ। ଗତବର୍ଷ ସମ୍ବଲପୁରରେ ଦୁଇ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଥିଲା। ଏହି ଘଟଣା ମନରୁ ଲିଭି ନଥିବା ବେଳେ ଗତକାଲି କଳାହାଣ୍ଡିରେ ବରିଷ୍ଠ ବିଜେପି ନେତା ତଥା ଡ଼ମକରଲାଖୁଣ୍ଟା ପଞ୍ଚାୟତର ସରପଂଚଙ୍କ ସ୍ବାମୀ ଫକୀର ରଣାଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ। ଫକୀର ରାତିରେ ଡମକରଲାଖୁଣ୍ଟା ପଞ୍ଚାୟତ ପଛପଟ ଅନ୍ଧାରୁଆ ରାସ୍ତା ଦେଇ ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ହଠାତ୍ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ତାଙ୍କର ଜୀବନ ଯାଇଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ କ୍ରାଇମ ସ୍ପଟରୁ ତଥ୍ୟ ପ୍ରମାଣ ସଂଗ୍ରହ କରିଛି।
