ନବରଙ୍ଗପୁର,(ସତ୍ୟପାଠବ୍ୟୁରୋ): ଦୋଷ କିଛି ବି ନ ଥିଲା । ପୁଲିସର ଭୁଲ ଯାଞ୍ଚ ଯୋଗୁ ଜୀବନର ୨୨ ବର୍ଷ ଜେଲରେ କାଟିବାକୁ ପଡ଼ିଲା। ଜେଲ୍ରୁ ଫେରିବା ପରେ ଆଉ କିଛି ନାହିଁ । ବିତିଯାଇଛି ଯୌବନ, ବଦଳି ଯାଇଛି ସମ୍ପୂର୍ଣ୍ଣ ଠିକଣା । ପରିବାରରେ ଆଉ କେହି ନାହାନ୍ତି । ନା ଘର ଅଛି, ନା ଅଛି ବଞ୍ଚିବାର ରାହା । ଜୀବିତ ଥିବା ମାଆ ବି ଆଖି ବୁଜି ସାରିଛନ୍ତି । ଏ ହେଉଛି ନବରଙ୍ଗପୁର ଥାନା ହିର୍ଲିଡଙ୍ଗରର ଅର୍ଜୁନ ଜାନୀ(୪୭)ଙ୍କ ହୃଦୟ ବିଦାରକ କାହାଣୀ। ସୁପ୍ରିମକୋର୍ଟ ଏବେ ଅର୍ଜୁନଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଦେବା ପରେ ଆରମ୍ଭ ହୋଇଛି ନାନା ଆଲୋଚନା ପର୍ଯ୍ୟାଲୋଚନା ।
୨୨ ବର୍ଷ ଜେଲ୍ କାଟି ଗାଁକୁ ସିନା ଫେରିଛନ୍ତି, ହେଲେ ଝାଟିମାଟି କୁଡ଼ିଆ ମାଟିରେ ମିଶିଯାଇଛି । ଆପଣାର ବୋଲି କେହି ଆଉ ଜୀବିତ ନାହାନ୍ତି । ତାଙ୍କୁ ୫ ବର୍ଷ ହୋଇଥିବାବେଳେ ବାପା ମୁକୁନ୍ଦ ଜାନୀ ଆରପାରିକୁ ଚାଲିଯାଇଥିଲେ । ପରେ ପରେ ଆଖି ବୁଜି ଦେଇଥିଲେ ବଡ଼ ଭାଇ । ସେ ଜେଲ୍ ଗଲାବେଳକୁ ମାଆ ପଦ୍ମା ଜାନୀ ଜୀବିତ ଥିଲେ । ଜେଲ୍ ଯିବାର ୫ ବର୍ଷ ପରେ ସେ ବି ଆରପାରିକୁ ଚାଲିଯାଇଥିଲେ । ଏବେ କେଉଁଠି ରହିବେ, କଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ବଳକା ଜୀବନ ଜିଇଁବା ପାଇଁ ହାତରେ ଜୀବିକା ନାହିଁ । ଜେଲ୍ରେ ଥିବାବେଳେ ଜେଲ୍ ପୋଷାକ ଇସ୍ତ୍ରୀ କରିବା ଶିଖିଛନ୍ତି । ଜେଲରେ ବିଭିନ୍ନ କାମ କରି ୬୦ ହଜାର ଟଙ୍କା ରୋଜଗାର କରିଛନ୍ତି । ଏ ସମ୍ପର୍କରେ ନବରଙ୍ଗପୁର ବିଡିଓ କହିଛନ୍ତି, ବ୍ଲକ ପକ୍ଷରୁ ଅର୍ଜୁନଙ୍କୁ ଆବାସ ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ।
ମାମଲା ସମ୍ପର୍କରେ ଅର୍ଜୁନ କହିଛନ୍ତି, ୨୦୦୪ରେ ଗାଁର ୩ ଜଣ ମହିଳାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିଲେ । ତତ୍କାଳୀନ ନବରଙ୍ଗପୁର ପୁଲିସ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୀର୍ଘ ୧୬ ଦିନ ଥାନାରେ ରଖିଥିଲା । ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିଲା । ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା । ତାଙ୍କ ଟିପଚିହ୍ନ ନେଇ ପୁଲିସ ତାଙ୍କୁ ଦୋଷୀ ସଜାଇ ଗିରଫ କରିଥିଲା । ୨ ବର୍ଷ ୮ ମାସ ନବରଙ୍ଗପୁରରେ ଜେଲ୍ ଦଣ୍ଡ ଭୋଗିଥିଲେ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୦୦୯ରେ ତାଙ୍କ ମା’ପଦ୍ମା ଜାନୀଙ୍କ ମୃତ୍ୟୁ ହୋଇଥିଲା । ମା’ଙ୍କ ମୃତ୍ୟୁ ଖବର ଦେବାକୁ ଗାଁଲୋକେ ଜେଲ୍ରେ ପହଞ୍ଚିଥିଲେ । ସେତେବେଳେ କୋରାପୁଟ ଜେଲ୍କୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ନବରଙ୍ଗପୁର ଜେଲ୍ରେ ଅର୍ଜୁନ ଜାନୀ ବୋଲି କେହି ନ ଥିବା ଗାଁଲୋକଙ୍କୁ କୁହାଯାଇଥିଲା ।
ଆଇନଜୀବୀ ନରସିଂହ ତ୍ରିପାଠୀ କହିଛନ୍ତି, ହତ୍ୟା ମାମଲାରେ ସଠିକ୍ ଭାବେ ତଦନ୍ତ କରି ନ ଥିଲା ପୁଲିସ୍ । ନିର୍ଦ୍ଦୋଷ ଅର୍ଜୁନଙ୍କୁ ଦୋଷୀ ସଜାଇଥିଲା । ଅର୍ଜୁନ ନିର୍ଦ୍ଦୋଷ ବୋଲି ଅପିଲ୍ କରାଯାଇଥିଲେ ବି ତଳକୋର୍ଟଙ୍କ ରାୟକୁ ଉପରକୋର୍ଟ କାଏମ୍ ରଖିଥିଲେ । ଏଥିପାଇଁ ତତ୍କାଳୀନ ପୁଲିସ ସମ୍ପୂର୍ଣ୍ଣ ଦାୟୀ ।
ଅନ୍ୟପକ୍ଷେରେ ଆଜି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ଅର୍ଜୁନଙ୍କୁ ଭେଟିଛନ୍ତି । ଆବଶ୍ୟକ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୁପ୍ରିମକୋର୍ଟ ବି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନକୁ ଅର୍ଜୁନଙ୍କ ତୁରନ୍ତ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା, ଆଗାମୀ ଦିନରେ ଅର୍ଜୁନଙ୍କ ଜୀବନର ଗତିପଥ କେଉଁ ମୋଡ଼ ନେଉଛି ।
