ପୁରୀ(ସତ୍ୟପାଠବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପୁଣି ଗଣତି ମଣତି ହେବ। ୨ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟକ୍ରମ। ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍ଓପି ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ। ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ରତ୍ନ ଓ ଅଳଙ୍କାରର ଗଣତିମଣତି ନେଇ ସମସ୍ତ ପ୍ରସ୍ତୁତି କରାଯିବ। ପୂର୍ବରୁ ଯେଉଁଭଳି ନିୟମ ଓ ସତର୍କତାର ସହ ଏହି କାର୍ଯ୍ୟ କରାଯାଇଥିଲା, ସେହିଭଳି ଏଥର ମଧ୍ୟ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଓ ସହାୟତା କାମନା କରିଛନ୍ତି। ତେବେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ର ରତ୍ନଭଣ୍ଡାର ଗଣତିମଣତି ଉପରେ ଏବେ ସମସ୍ତଙ୍କ ନଜର।
