ଭୁବନେଶ୍ବର,(ସତ୍ୟପାଠ ବ୍ୟୁରୋ) : ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି । ବିବାଦର ଆଇନଗତ ପ୍ରକ୍ରିୟା ସହ ସମାନ୍ତରାଳ ଭାବେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ସ୍ତରରେ ସମାଧାନର ବାଟ ଖୋଜାଯାଉଛି। ଟ୍ରିବ୍ୟୁନାଲରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବାକୁ ଥିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ । ଏହି ବୈଠକରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଆଲୋଚନା ଓ ସମାଧାନର ସମ୍ଭାବ୍ୟ ଢାଞ୍ଚା ଉପରେ ଚର୍ଚ୍ଚା ହେବା ଆଶା କରାଯାଉଛି ।

ସମ୍ପ୍ରତି ଦୁଇ ରାଜ୍ୟ ମଧ୍ୟରେ ଆଲୋଚନାକୁ କେନ୍ଦ୍ର ସରକାର ସୁଗମ କରୁଛନ୍ତି । ଜୁଲାଇ ୩୦ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା। ଏଥିରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏବଂ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ବୈଷୟିକ ପ୍ରସଙ୍ଗଗୁଡ଼ିକରେ ଅନେକ ମୁଦ୍ଦାରେ ସହମତି ହୋଇଥିବା ନେଇ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା । ମହାନଦୀ ବିବାଦର ସମାଧାନ ପାଇଁ ଏବେ କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ବୈଷୟିକ ଆଲୋଚନା ଆଗକୁ ବଢ଼ୁଛି। CWCର ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ପ୍ରତିନିଧିଙ୍କୁ ନେଇ ବିସ୍ତାରିତ ବୈଷୟିକ କମିଟି ମଧ୍ୟ ଗଠନ କରାଯାଇଛି। ଏହି କମିଟି ଜଳ ଉପଲବ୍ଧତା, ବ୍ୟବହାର ଓ ଉଭୟ ରାଜ୍ୟର ଆବଶ୍ୟକତା ସମ୍ପର୍କିତ ବୈଷୟିକ ତଥ୍ୟ ଉପରେ ଆଲୋଚନା କରୁଛି। ମିଳିଥିବା ସୂଚନା ଅନୁସାରେ, CWCର ସଚିବ ମହାନଦୀ ଟ୍ରିବ୍ୟୁନାଲକୁ ଦୁଇଟି ବିବରଣୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷର ତଥ୍ୟ ଓ ବୈଷୟିକ ଦିଗକୁ ଆଧାର କରି ଏକ ସମାଧାନର ଫର୍ମୁଲା ପ୍ରସ୍ତୁତି ଦିଗରେ କାମ ଚାଲିଛି। ଚୂଡ଼ାନ୍ତ ବୈଷୟିକ ରିପୋର୍ଟ ଟ୍ରିବ୍ୟୁନାଲରେ ଦାଖଲ କରାଯିବା ପରେ ମାମଲାର ପରବର୍ତ୍ତୀ ଦିଗ ଅଧିକ ସ୍ପଷ୍ଟ ହେବ। ତେଣୁ ଅକ୍ଟୋବର ୧ର ବୈଠକ ଏବଂ ଅକ୍ଟୋବର ୧୫ର ଟ୍ରିବ୍ୟୁନାଲ ଶୁଣାଣି ଉପରେ ଏବେ ନଜର ରହିଛି। ଦୀର୍ଘଦିନର ଏହି ଜଳ ବିବାଦରେ ବୈଷୟିକ ଆଲୋଚନା କେତେ ଦୂର ଆଗକୁ ବଢ଼ୁଛି ଏବଂ ଦୁଇ ରାଜ୍ୟ କୌଣସି ସହମତିରେ ପହଞ୍ଚୁଛନ୍ତି କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।