ବୁଚରେଷ୍ଟ, (ସତ୍ୟପାଠବ୍ୟୁରୋ): ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ଵବ୍ୟାପୀ ସାମୁଦ୍ରିକ ପରିବହନ ପଥରେ ଅସ୍ଥିରତା ଦେଖାଦେଇଛି। ଏହିକ୍ରମେ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଦୁଇ ଜଣ ବିଦେଶୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜାହାଜରେ ଥିବା ୩ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ରୋମାନିଆସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁସାରେ, ବ୍ଲାକ୍ ସି’ରେ ଏମଭି ରୋୟାଡ ମାମାଡୋଭ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ କିଛି କ୍ରୁ ସଦସ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ରୋମାନିଆ ନିଆଯାଇଥିଲା। ଏହି ଘଟଣାରେ ଜାହାଜରେ ଥିବା ୩ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଥିବା ଭାରତୀୟ ଦୂତାବାସ ନିଶ୍ଚିତ କରିଛି। ୩ ଜଣଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି। ରୋମାନିଆରେ ଭାରତର ରାଷ୍ଟ୍ରଦୂତ ମନୋଜ ମହାପାତ୍ରା କନ୍ସଲଟାଣ୍ଟା କାଉଣ୍ଟି ହସ୍ପିଟାଲରେ ପହଞ୍ଚି ଆହତ ଭାରତୀୟ କ୍ରୁ ସଦସ୍ୟମାନଙ୍କ ସହ କଥା ହୋଇଛନ୍ତି। ହସ୍ପିଟାଲର ମୁଖ୍ୟ ଚିକିତ୍ସକଙ୍କ ଅନୁସାରେ, ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଆବଶ୍ୟକ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଭାରତୀୟ ମିଶନ୍ ମଧ୍ୟ ହସ୍ପିଟାଲ ଓ ସମ୍ପୃକ୍ତ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ଭାରତୀୟ କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। କୃଷ୍ଣ ସାଗର, ଲୋହିତ ସାଗର ଏବଂ ପର୍ସିଆନ୍ ଗଲ୍ଫ୍ ଭଳି ପ୍ରମୁଖ ସାମୁଦ୍ରିକ ମାର୍ଗରେ ବାଣିଜ୍ୟିକ ଜାହାଜର ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଥିବା ସମୟରେ ଏହି ଆକ୍ରମଣ ଘଟିଛି। ଗତ ସପ୍ତାହରେ ୮୧ତମ ମିଳିତ ଜାତିସଂଘ ସାଧାରଣ ସଭାରେ ମଧ୍ୟ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରି କହିଥିଲେ ଯେ, ଗଲ୍ଫ୍ ଓ ଲୋହିତ ସାଗରଠାରୁ କୃଷ୍ଣ ସାଗର ପର୍ଯ୍ୟନ୍ତ ବାଣିଜ୍ୟିକ ଜାହାଜ ଓ ନାବିକମାନେ ଆକ୍ରମଣର ଶିକାର ହେଉଛନ୍ତି। ଭାରତୀୟ ନାବିକଙ୍କ ସମେତ ବିଭିନ୍ନ ଦେଶର ନାବିକ ଏଥିରେ ଜୀବନ ହରାଇଛନ୍ତି। ଏଭଳି ଆକ୍ରମଣକୁ ସେ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ବୋଲି କହିବା ସହିତ ସମୁଦ୍ର ପଥରେ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ଆଇନର ପାଳନ ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଉପରେ ଜୋର ଦେଇଥିଲେ।
