(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟର ବିଭିନ୍ନ ନଦୀରେ ଏବେ ଜଳସ୍ତର ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ବାରଣ ସତ୍ତ୍ୱେ ନଦୀରେ ବନ୍ୟା ପାଣି ଆସୁଥିବାରୁ କେହି କେହି ମାଛ ଧରୁଛନ୍ତି ତ ଆଉ କିଏ କାଠ ଲୋଭରେ ବନ୍ୟା ପାଣି ଭିତରେ ପ୍ରବେଶ କରୁଛନ୍ତି। ଏମିତି ବନ୍ୟା ପାଣିରୁ କାଠ ଆଣିବାକୁ ଯାଇ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ତେବେ ଆଶ୍ବସ୍ତିର କଥା ହେଉଛି ଖବର ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। 

ଏହି ଘଟଣା ଘଟିଛି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ । ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳୁ ସକାଳୁ ଅର୍ଥାତ୍ ଆଜି କୁମୁଣିଆ ଗାଁର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ଜଣ ସାଥି ସାଙ୍ଗ ହୋଇ ଟ୍ୟୁବ୍‌ ସାହାଯ୍ୟରେ ବୈତରଣୀ ବ୍ୟାରେଜକୁ କାଠ ଆଣିବାକୁ ଯାଇଥିଲେ। ତେବେ ‌ଏହି ସମୟରେ ଅସାବଧାନତା ଯୋଗୁଁ ତିନି ଜଣ ପାଣିରେ ଭାସି ଯାଇଥିଲେ। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଜଗବନ୍ଧୁ ନାଏକଙ୍କୁ ଉଦ୍ଧାର କରିଥିଲା। ଏହା ପରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। କିନ୍ତୁ  ଅନ୍ୟ ୨ ଜଣ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି।