ବ୍ରିଟିଶ ଇତିହାସର ସବୁଠାରୁ ମହଙ୍ଗା ଛାଡ଼ପତ୍ର । ବ୍ରିଟେନର ଗୋଟିଏ କୋର୍ଟ ଦୁବାଇର ଶାସକଙ୍କୁ ଛାଡ଼ପତ୍ର ବାବଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ଭରଣ ପୋଷଣ ପାଇଁ ୫୫ କୋଟି ପାଉଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଲଣ୍ଡନ ହାଇକୋର୍ଟ କହିଛନ୍ତି ଯେ ଦୁବାଇ ଶାସକ ଶେଖ ମହମ୍ମଦ ବିନ ରସିଦ ଅଲ ମାକତୌମ ତାଙ୍କ ପତ୍ନୀ ରାଜକୁମାରୀ ହାୟା ବିଣ୍ଟ ଅଲ ହୁସେନଙ୍କୁ ୨୫.୧୫ କୋଟି ପାଉଣ୍ଡ ଦେବେ। ଏଥିସହ ଦୁଇ ପିଲା ୧୪ ବର୍ଷୀୟ ଅଲ ଜଲିଲା ଓ ୯ ବର୍ଷୀୟ ଜାୟେଦଙ୍କୁ ୨୯ କୋଟି ପାଉଣ୍ତର ବ୍ୟାଙ୍କ ଗ୍ୟାରେଣ୍ଟି ଦେବେ। ଏହାକୁ ମିଶାଇ ସେ ମୋଟ ୫୫ କୋଟି ପାଉଣ୍ଡ କ୍ଷତିପୂରଣ ଭାବେ ପ୍ରଦାନ କରିବେ।
ଅଦାଲତ କହିଛନ୍ତି, ପିଲାମାନଙ୍କୁ ଦେବାକୁ ଥିବା ୨୯ କୋଟି ପାଉଣ୍ଡକୁ ଶେଖ ମହମ୍ମଦ ଚାହିଁଲେ କମ ବେଶୀ କରିପାରିବେ। ୭୨ ବର୍ଷୀୟ ଶେଖ ମହମ୍ମଦ ଏବେ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରଧାନମନ୍ତ୍ରୀ ମଧ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ଜଜ୍ ଫିଲିପ୍ ମୋରଙ୍କ ଏପରି ନିର୍ଦ୍ଦେଶ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।
