ସରକାରୀ ନିଯୁକ୍ତିରେ ଅବ୍ୟବସ୍ଥା ପିଅନ, ଡ୍ରାଇଭର୍‌ ଓ ଚୌକିଦାର ଭଳି ୧୫ଟି ପଦବୀ ପାଇଁ ୧୧ ହଜାର ଆବେଦନକାରୀ: ମଧ୍ୟପ୍ରଦେଶ

ସତ୍ୟପାଠ 29/12 ମଧ୍ୟପ୍ରଦେଶ: ପିଅନ, ଡ୍ରାଇଭର୍‌ ଏବଂ ଚୌକିଦାର ଭଳି ମାତ୍ର ୧୫ଟି ପଦବୀ ପାଇଁ ଗତ ଶନିବାର ଓ ରବିବାର ଦିନ ମଧ୍ୟପ୍ରଦେଶର ଗ୍ବାଲିଅର୍‌ରେ ପ୍ରାୟ ୧୧,୦୦୦ ବେକାର ଯୁବକ ଗହଳି କରିଥିଲେ। କେବଳ ମଧ୍ୟପ୍ରଦେଶ ନୁହେଁ, ପଡ଼ୋଶୀ ଉତ୍ତର ପ୍ରଦେଶ ରାଜ୍ୟରୁ ମଧ୍ୟ କେତେଜଣ ଆବେଦନକାରୀ ସେଠାରେ ପହଞ୍ଚିଥିଲେ। ଏ ଘଟଣାରେ ଆଉ ଏକ ଉଲ୍ଲେଖଯୋଗ୍ୟ କଥା ହେଲା, ଉପରୋକ୍ତ ପଦବୀ ପାଇଁ ୧୦ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀ ଆବଶ୍ୟକ ଥିବା ବେଳେ ସ୍ନାତକ, ସ୍ନାତକୋତ୍ତର, ଇଞ୍ଜିନିୟର୍‌, ଏମ୍.ବି.ଏ. ଏବଂ ସିଭିଲ୍‌ ଜଜ୍‌ ଆଶାୟୀ ପ୍ରାର୍ଥୀ ମଧ୍ୟ ଆବେଦନ କରିଥିଲେ। ଅନ୍ୟତମ ଆବେଦନକାରୀ ଅଜୟ ବାଘେଲ କହନ୍ତି, ମୁଁ ବିଜ୍ଞାନରେ ସ୍ନାତକ, କିନ୍ତୁ ପିଅନ ଚାକିରି ପାଇଁ ଆବେଦନ କରିଛି। ପିଏଚ୍‌ଡି କରିଥିବା ପ୍ରାର୍ଥୀ ମଧ୍ୟ ଏଠରେ ଧାଡ଼ି ବାନ୍ଧିଛନ୍ତି। ଜିତେନ୍ଦ୍ର ମୌର୍ଯ୍ୟ ନାମରେ ଜଣେ ଆଇନ ସ୍ନାତକ କହନ୍ତି, ବିଚାରପତି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ବି ମୁଁ ଡ୍ରାଇଭର୍‌ ପଦବୀ ପାଇଁ ଆବେଦନ କରିଛି। ମୁଁ ମାଧବ କଲେଜରେ ପଢ଼ିଛି। ଏମିତି ପରିସ୍ଥିତି ଯେ, ବହିପତ୍ର କିଣିବାକୁ ଟଙ୍କା ନାହିଁ। ତେଣୁ, ଯାହିତାହି ଚାକିରି ଖଣ୍ଡେ କରି ଉପାର୍ଜନ କରିବାକୁ ମନ କଲି। ତେଣେ, ଅଳ୍ପ କିଛି ଦିନ ପୂର୍ବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଥିଲେ ଯେ, ଆମେ ବର୍ଷକୁ ୧ ଲକ୍ଷ ବ୍ୟକ୍ତିଙ୍କୁ ଚାକିରି ଦେବୁ।

ସରକାରୀ ବିଭାଗରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବାକୁ ଆମେ ସବୁମତେ ଉଦ୍ୟମ କରିବୁ। ସେ ଆହୁରି ମଧ୍ୟ କହିଥିଲେ, ସମସ୍ତେ ସରକାରୀ ଚାକିରି ପାଇଁ ବ୍ୟାକୁଳ। ମୁଁ କିନ୍ତୁ, ସତ କହୁଛି ଯେ, ସବୁ ଶିକ୍ଷାର୍ଥୀ ସରକାରୀ ଚାକିରି ପାଇବେ ନାହିଁ। ମାତ୍ର ବାସ୍ତବତା ଅନ୍ୟ ପ୍ରକାରର। ମଧ୍ୟପ୍ରଦେଶ କର୍ମସଂସ୍ଥାନ ପଞ୍ଜିକରଣ କାର୍ଯ୍ୟାଳୟରୁ ସଂଗୃହୀତ ସୂଚନା ଅନୁସାରେ, ସମୁଦାୟ ବେକାରୀଙ୍କ ସଂଖ୍ୟା ୩୨,୫୭,୧୩୬। ତେଣେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୧ ଲକ୍ଷ ପଦବୀ ଖାଲି ରହିଛି। ପ୍ରାପ୍ତ ସୂଚନା ଅନୁସାରେ, ସ୍କୁଲ୍‌ ଶିକ୍ଷା ବିଭାଗରେ ୩୦,୬୦୦, ଗୃହ ବିଭାଗରେ ୯,୩୮୮, ସ୍ବାସ୍ଥ୍ୟ ବିଭାଗରେ ୮,୫୯୨ ଏବଂ ରାଜସ୍ବ ବିଭାଗରେ ୯,୫୩୦ ପଦବୀ ଖାଲି ପଡ଼ିଛି। ନିକଟ ଅତୀତରେ ରାସ୍ତାକଡ଼ ବିକାଳି ପାଇଁ ମଧ୍ୟ ପ୍ରଦେଶ ସରକାର କରିଥିବା ଯୋଜନା ପାଇଁ ୧୫ ଲକ୍ଷ୍ୟ ଆବେଦନ ପତ୍ର ପଡ଼ିଥିଲା। ସେଥିରୁ ମନୋନୀତ ହୋଇଥିବା ୯୯,୦୦୦ ରୁ ପ୍ରାୟ ୯୦% ହେଉଛନ୍ତି ସ୍ନାତକ ଡିଗ୍ରିଧାରୀ। ନିଯୁକ୍ତି କ୍ଷେତ୍ରରେ ହେଉଥିବା କାର୍ଯ୍ୟକାରୀ ଉପରେ ପ୍ରଶ୍ନ ଉଠିଛି |

Related Posts