ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ମୈନପୁର ଜିଲ୍ଲାର କରହଲ ବିଧାନସଭା ଆସନରୁ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଞ୍ଚଳ ହୋଇ ଉଠିଛି । ଏପରିକି ଏ ଖବର ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟିର ନେତା ଦଳ ଛାଡ଼ି ବିଜେପିରେ ମିଶିଥିବାର ଖବର ଆସିଛି । ତେବେ କରହଲ ବିଧାନସଭା ନିର୍ବାଚନମଣ୍ଡଳୀର ଏସପି ନେତା ରଘୁପାଲ ସିଂହ ଭଦୌରିଆ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟିକୁ ଶକ୍ତ ଝଟକା ଲାଗିଛି । ଅନ୍ୟପଟେ କରହଲର କିର୍ତ୍ତୁଆ ଗାଁର ବାସିନ୍ଦା ରଘୁପାଲ ସିଂ ଭଦୌରିଆ ସମାଜବାଦୀ ପାର୍ଟିର ରାଜ୍ୟ ସଚିବ ଭାବରେ କାର୍ଯ୍ୟ କରିଛନ୍ତି।
ସେ ଦୀର୍ଘ ସମୟଧରି ସମାଜବାଦୀ ପାର୍ଟି ଠାରୁ ଦୂରରେ ରହିଆସୁଥିଲେ । ସେପଟେ ବିଜେପିରେ ମିଶୁ ମିଶୁ ହିଁ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ସମାଜବାଦୀ ପାର୍ଟି ଜାତିବାଦ ରାଜନୀତି କରିଥାଏ । ଦଳରେ ଯାଦବ ଜାତିର ଲୋକମାନଙ୍କୁ ଅଧିକ ମହତ୍ତ୍ୱ ଦିଆଯାଇଥାଏ ବୋଲି ରଘୁପାଲ ସିଂ ଭଦୌରିଆ କହିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିର ଗଢ଼ କୁହାଯାଉଥିବା ମେନ୍ନୁରୀ ଜିଲ୍ଲାର କରହଲ ବିଧାନସଭା ଆସନରୁ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିବାର ଖବର ସାମ୍ନାକୁ ଆସିବା ପରେ ଠିକ ଏହାର ଗୋଟିଏ ଦିନ ପରେ ରଘୁପାଲ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ବତ୍ତର୍ମାନ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





