ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଯାଇଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । କିଏ ଜାତିକୁ ନେଇ ରାଜନୀତି କରୁଛି ତ ଆଉ କିଏ ନୂଆ ନୂଆ ସ୍କିମ ନେଇ ଲୋକଙ୍କ ପାଖକୁ ଯାଉଛି । ସେପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଶ୍ଚିମ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଅଭିଯାନକୁ ଗୃହମନ୍ତ୍ରୀ ଅମିତ ଶାହା ନିଜେ ପରିଚାଳନା କରୁଛନ୍ତି। ଏହା ମଧ୍ୟରେ ସମାଜବାଦୀ ପାର୍ଟି ଓ ଆରଏଲଡିର ଗଠବନ୍ଧନକୁ ନେଇ ବିଜେପି ଚିନ୍ତାରେ ପଡ଼ିଛି । କାହିଁକିନା ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିର ସମର୍ଥକ କମ ଥିବାରୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ପଶ୍ଚିମ ଉତ୍ତରପ୍ରଦେଶରେ ଏସପି ଓ ଆରଏଲଡି ଗଠବନ୍ଧନ କରିବା ପରେ ବିଜେପି ବର୍ତ୍ତମାନ ହିନ୍ଦୁଙ୍କୁ ନେଇ ରାଜନୀତି କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଖିଳେଶ ଯାଦବ ଓବିସ ଭୋଟକୁ ହାତେଇବା ପାଇଁ ଯୋଜନା କରୁଛନ୍ତି ।
ଅନ୍ୟପଟେ ଅନେକ ଓବିସି ନେତା ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିବା ପରେ ଗୃହମନ୍ତ୍ରୀ ପଶ୍ଚିମ ଉତ୍ତରପ୍ରଦେଶର ପ୍ରଚାର ଦାୟିତ୍ୱକୁ ନିଜ ଉପରକୁ ନେଇଥିଲେ । ତେଣୁ ସମାଜବାଦୀ ପାର୍ଟି ମୁସଲିମ ଓ ଯାଦବ ଭୋଟରଙ୍କୁ ଛାଡ଼ି ଓବିସିଙ୍କ ଭୋଟ ହାତେଇବା ପାଇଁ ଯୋଜନା ଚଲାଇଛି । କେବଳ ଏତିକି ନୁହେଁ ବରଂ ପଶ୍ଚିମ ୟୁପିରେ ଜାଟଙ୍କ ମଧ୍ୟରେ ଆରଏଲଡିର ବହୁ ପ୍ରାଧାନ୍ୟ ରହିଛି ଏବଂ ଅଖିଳେଶ ମଧ୍ୟ ଏଠାରେ ଜିତିଛନ୍ତି । ଯାହାଫଳରେ ଏସପି ଏବଂ ଆରଏଲଡିର ମିଳିତ ମଞ୍ଚ ବିଜେପି ପାଇଁ ସମସ୍ୟା ସୃଷ୍ଟି କରୁଛି। ଅଖିଳେଶଙ୍କୁ ଏଥର ଏକ ବଡ ଆହ୍ୱାନ ଦିଆଯାଇଛି । ଏହା ହେଉଛି ତାଙ୍କ ପ୍ରଥମ ନିର୍ବାଚନ ଯେଉଁଥିରେ ସେ ତାଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଛାଇରୁ ଅଲଗା ହୋଇ ନିର୍ବାଚନ ଲଢ଼ୁଛନ୍ତି । ମୁଲାୟମ ସିଂ ଯାଦବ ଆଉ ସକ୍ରିୟ ରାଜନୀତିରେ ନାହାଁନ୍ତି।
ଓବିସି ଏବଂ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସହ ମିଳିତ ମଞ୍ଚରେ ଅଖିଳେଶ ଏକ ନୂତନ ଏସପି ଚେହେରା ଦେଖାଇଛନ୍ତି। ପଶ୍ଚିମ ୟୁପିରେ ଏହି ମିଳିତ ଗଠବନ୍ଧନ ମୁସଲମାନମାନଙ୍କୁ ମଧ୍ୟ ଏକତ୍ରିତ କରିବାରେ ଲାଗିଛି । ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଙ୍ଗ କିଛି ମାତ୍ରାରେ ହ୍ରାସ ପାଇବା ସହିତ ଓବିସି ଭୋଟ୍ ଉପରେ ବିଜେପିର ଆଭିମୁଖ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଓବିସି ରାଜ୍ୟ ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ । ୨୦୧୭ ମସିହାରେ ଏସପି ୩୧୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୨୧.୮୨ ପ୍ରତିଶତ ଭୋଟ୍ ସହିତ ୪୭ ଟି ସିଟ୍ ଜିତିଥିଲେ ଏବଂ ଆରଏଲଡି ୨୭୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଗୋଟିଏ ଆସନ ଜିତି ୧.୭୮ ପ୍ରତିଶତ ଭୋଟ୍ ପାଇଥିଲେ। ହେଲେ ବିଜେପି ୩୯.୭% ଭୋଟ ପାଇଥିଲା ।
ଅନ୍ୟପଟେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିକୁ ଜାଟମାନଙ୍କର ସମର୍ଥନ ରହିଥିବାରୁ ରାଜ୍ୟରେ ଅନେକ ସମୁଦାୟ ଏସପି ସପକ୍ଷରେ ବାହାରିବାରେ ଲାଗିଛନ୍ତି । ଫଳରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଶକ୍ତିଶାଳୀ ହେବାରେ ଲାଗିଛି । ଏସବୁ ମଧ୍ୟରେ ଚଳିତ ଥର କେନ୍ଦ୍ର ସରକାରଙ୍କ ବିରୋଧରେ କରାଯାଇଥିବା କୃଷକ ଆନ୍ଦୋଳନକୁ ମଧ୍ୟ ଏକ ବଡ଼ ମୁଦ୍ଦା କରି ଏସପି ଲୋକଙ୍କ ପାଖକୁ ଯିବାରେ ଲାଗିଛି । କାହିଁକିନା ରାଜ୍ୟରେ ଜାଟ ଏବଂ କୃଷକମାନେ ଏହାକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏଥର ଉତ୍ତରପ୍ରଦେଶରେ କ୍ଷମତାକୁ କେଉଁ ଦଳ ଆସୁଛି ।





