ଆଖିବୁଜିଲେ ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର। ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କର ପରଲୋକ ହୋଇଯାଇଛି । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା ।

ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ୱତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ହ୍ୟାଣ୍ଡଲୁମ୍ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଓ ସୋନପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ।

ଆଜି ସକାଳେ ଶ୍ରୀମିଶ୍ରଙ୍କ ଶହୀଦନଗରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ରଖାଯିବ ।