ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନର ସ୍ଥିତି ଅଣାୟତ୍ତ୍ୱ ହେବାରେ ଲାଗିଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହା ମଧ୍ୟରେ ସିଆଲ୍ ମିଡିଆରେ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଏବଂ କେରଳର ପୂର୍ବତନ ଡିଜିପିଙ୍କ ଟ୍ୱିଟ୍କୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି । ୟୁକ୍ରେନକୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ ନେଇ ଡା. ଏନ୍.ସି. ଆସ୍ଥାନା ନାମକ ଅବସରପ୍ରାପ୍ତ ଆଇପିଏସ୍ ବିବାଦୀୟ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ଯେ ୟୁକ୍ରେନ୍ରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କେବଳ ଭାରତ ସରକାରଙ୍କ ନୈତିକ ଦାୟିତ୍ୱ । କିନ୍ତୁ ଏହା ଆଇନଗତ ଦାୟିତ୍ୱ ନୁହେଁ । ଖାଲିଟାରେ ସରକାରଙ୍କୁ ନେଇ ଆଲୋଚନା କରିବା ବନ୍ଦ କରନ୍ତୁ । ସେମାନେ ନିଜ ସ୍ୱାର୍ଥ ପାଇଁ ସେଠାକୁ ଯାଉଥିଲେ । ଯଦି କୌଣସି ଭାରତୀୟ ଆଣ୍ଟାର୍କାଟିକା କିମ୍ୱା ଗହୀର ସମୁଦ୍ର ଭିତରେ ବିପଦରେ ପଡ଼ିଥିବେ ତେବେ କଣ ସରକାର ତାଙ୍କୁ ଉଦ୍ଧାର କରିବେ ?

ତେବେ ଏହି ଟ୍ୱିଟ୍କୁ ନେଇ ସୋସିଆଲ୍ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ବ୍ୟବହାରକାରୀ ଏହାକୁ ନେଇ ସେମାନଙ୍କ ମତ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ତାହାଲେ ଭାରତ ସରକାର ୧୯୯୦ ମସିହା ଇରାକ୍-କୁଏତ ସଂଘର୍ଷ ସମୟରେ ପାଖାପାଖି ୧.୭ ଲକ୍ଷ ଲୋକଙ୍କୁ ବିମାନ ଯୋଗେ ଉଦ୍ଧାର କରି ଦେଶର ଅର୍ଥକୁ ବର୍ବାଦ୍ କରିଦେଇଛନ୍ତି, କାରଣ ସମସ୍ତ ଲୋକ ନିଜ ଇଛାରେ ଅଧିକ ଟଙ୍କା କମେଇବା ପାଇଁ ସେଠାକୁ ଯାଇଥିଲେ । ସେହିଭଳି ଅନେକ ୟୁଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି ।