ରୁଷ ଟାର୍ଗେଟରେ ଖାରକିଭ; ୟୁକ୍ରେନର ତୈଳ ଡିପୋରେ ବୋମାମାଡ଼ କଲା ରୁଷ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଉଭୟ ପରସ୍ପରଙ୍କୁ କଡ଼ା ଜବାବ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ରୁଷ ମିଶାଇଲ ମାଡ଼ କରିଥିବା ଦେଖିବାକୁ ମିଳିଛି । ତେବେ ମିଶାଇଲ ମାଡ଼ ଯୋଗୁ ଏଠାରେ ଥିବା ତୈଳ ଡିପୋରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏ ଘଟଣା ସମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇ ଉଠିଛି । ସେପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନ୍ଧାର ରାତିରେ ଆକାଶ ପୂରା ଆଲୋକିତ ହୋଇଯାଇଥିଲା। ସେହିପରି ବିସ୍ଫୋରଣ ପରେ ରିପୋର୍ଟର ଜଣଙ୍କ ଆଉ ଖବର ପ୍ରସାରଣ କରି ନଥିଲେ।

ଅନ୍ୟପଟେ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍ ରୁଷ ସେନାଙ୍କ ଟାର୍ଗେଟରେ ରହିଛି। ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି। ରୁଷର ବୋମା ଓ ମିସାଇଲ ମାଡ଼ ଯୋଗୁ ଏବେ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି। ଏହାର ଅର୍ଥ ପୂରା ସହରର ଏବେ ଅନ୍ଧାରରେ ବୁଡ଼ିଛି। ଆଜି ହିଁ ରୁଷ ଖାରକିଭ୍ ଦଖଲ କରିବାକୁ ପଣ କରିଛି।

ଏଥିପାଇଁ ଏଠାରେ ଅଲଆଉଟ ଆଟାକ ଆରମ୍ଭ କରିଛି। ରୁଷ ପାରଟ୍ରୁପରଙ୍କ ଠାରୁ ଆରମ୍ଭ କରି ସ୍ଥଳସେନାର ଯବାନମାନେ ଖାରକିଭ ଉପରେ ଚାରିପଟୁ ହମଲା କରୁଛନ୍ତି। ସେମାନଙ୍କ ଆକ୍ରମଣରୁ ମିଲିଟାରୀ ପ୍ରତିଷ୍ଠାନ, ସ୍କୁଲ, ହସ୍ପିଟାଲ ଓ ସାଧାରଣ ଜନବସିତି ବର୍ତ୍ତି ପାରିନି। ମିସାଇଲ ଓ ବୋମା ମାଡ଼ରେ ଏଗୁଡ଼ିକ ଧ୍ୱଂସ ହେବାରେ ଲାଗିଛି। ଗତକାଲି ରାତିରେ ଖାରକିଭରେ ରୁଷ କରିଥିବା ବୋମା ବର୍ଷଣରେ ୨ ଜଣ ଶିଶୁଙ୍କ ସମେତ ୮ ଜଣ ପ୍ରାଣ ହରାଇଛନ୍ତି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ରାତି ପାହିବା ପରେ ରୁଷ ସେନା ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ଏବେ ଖାରକିଭ୍ରେ କେବଳ ଆତଙ୍କ ହିଁ ଦେଖିବାକୁ ମିଳିଛି। ଏଠାରେ ରହୁଥିବା କିଛି ଲୋକ ସହର ଛାଡ଼ିଥିବା ବେଳେ ଅନ୍ୟମାନେ ବଙ୍କର ମଧ୍ୟରେ ଲୁଚି ରହିଛନ୍ତି।

Related Posts