ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ପୌର ନିର୍ବାଚନ ପାଇଁ ଦଳମାନେ ନିଜର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ବ୍ରହ୍ମପୁରର ମେୟର ପ୍ରାର୍ଥୀଭାବେ ସଂଘମିତଆ ଦଳାଇଙ୍କ ନାମକୁ ଘୋଷଣା କରିଛି ବିଜେଡି । ହେଲେ କର୍ପୋରେଟରଙ୍କ ତାଲିକାକୁ ଝୁଲାଇ ରଖିଥିବାର ଦେଖିବାକୁ ମିଳିଛି । ଏନେଇ ଦଳରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କର୍ପୋରେଟରଙ୍କ ନାମ ସିଧାସଳଖ ଘୋଷଣା କରିବା ପରିବର୍ତ୍ତେ ୪୨ଜଣ କର୍ପୋରେଟର୍ଙ୍କ ନାଁ ସିଧାସଳଖ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଧରାଇଛି । ସେପଟେ ଯେଉଁ ଆଶାୟୀମାନେ ଟିକେଟ୍ରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ସ୍ବାଧୀନଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଚଳିତ ପୌର ନିର୍ବାଚନ ପାଇଁ ଶାସକ ଦଳରେ ବହୁ ଆଶାୟୀ ବାହାରିଥିଲେ। ପ୍ରାର୍ଥୀ ତାଲିକା ଆଗୁଆ ଜଣାପଡ଼ିଲେ କାଳେ କର୍ମୀ ତଥା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବ, ତାହାକୁ ନେଇ ଦଳ ଚିନ୍ତାରେ ରହିଥିଲା।
ଯେଉଁଥିପାଇଁ ଗତକାଲି ଦଳ ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ସଂଘମିତ୍ରା ଦଳାଇଙ୍କ ନାମକୁ ଘୋଷଣା କରାଯାଇଥିବାବେଳେ କର୍ପୋରେଟର୍ଙ୍କ ତାଲିକାକୁ ଝୁଲାଇ ରଖାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା। ମାତ୍ର, ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ହାତରୁ ଏହାକୁ ଛଡ଼ାଇ ନେଇଥିଲେ ବିଧାୟକ ବିକ୍ରମ କୁମାର ପଣ୍ଡା। ଯେଉଁଥିପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନଥିଲା ଏବଂ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବା ସହ ଅସନ୍ତୋଷ ବି ବଢ଼ିଥିଲା। ଗତକାଲି ରାତି ସୁଦ୍ଧା ଦଳରେ ଏଭଳି ଛକପଞ୍ଝା ଲାଗି ରହିଥିବାବେଳେ ଦଳ ପକ୍ଷରୁ କେବଳ ମୌଖିକ ଭାବେ ପ୍ରାର୍ଥିପତ୍ର ଦାଖଲ କରିବାକୁ କୁହାଯାଉଥିଲା। ନେତାଙ୍କ କଥାକୁ ବିଶ୍ବାସକୁ ନେଇ କିଛି ଆଶାୟୀ ବିନା ଦଳୀୟ ଟିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଦଳର ଏକାଧିକ ଆଶାୟୀ ଏହି ଢଙ୍ଗରେ ନାମାଙ୍କନ ଦାଖଲ କରିବାପରେ ଆଜି ବିଜେଡି ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକ, ବିଧାୟକ ଶ୍ରୀ ପଣ୍ତା ଓ ଉପସଭାପତି ସଜିତ୍ ପାଣିଗ୍ରାହୀ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଭି.କୀର୍ତ୍ତି ଭାସନ୍ଙ୍କୁ ଭେଟି ଦଳର ପ୍ରାର୍ଥୀ ତାଲିକା ପ୍ରଦାନ କରିଥିଲେ। ନିର୍ବାଚନ ଅଧିକାରୀଙ୍କୁ ପ୍ରାର୍ଥୀ ତାଲିକା ଦେବାପରେ ଏହାକୁ ସାର୍ବଜନୀନ କରାଯାଇଥିଲା। ବିଏମ୍ସିର ୪୨ଟି ୱାର୍ଡ଼ରୁ କର୍ପୋରେଟର୍ ପଦବି ପାଇଁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଆଶାୟୀ ଆବେଦନ କରିଥିଲେ। ଆଶାୟୀଙ୍କ ଆବେଦନକୁ ନେଇ ଦଳ ପକ୍ଷରୁ ଟିକିନିଖି ଯାଞ୍ଚ କରାଯାଇ ରାଜ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା। ତାଲିକା ଘୋଷଣା ପରେ ଯେଉଁମାନେ ନିରାଶ ହୋଇଛନ୍ତି ସେମାନେ ଏବେ ସ୍ବାଧୀନ ପ୍ରାର୍ଥୀ ଭାବେ ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅସନ୍ତୁଷ୍ଟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।
