ସାମ୍ନାକୁ ଆସିଛି ଚଳିତ ୫ ବିଧାନସଭା ନିର୍ବାଚନର ଫଳାଫଳ । ଯଦି ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇ ନାହିଁ ମାତ୍ରା ବିଜେପି କୁ ବିପୁଳ ସମର୍ଥନ ମିଳିଥିବା ବେଳେ 4ଟି ରାଜ୍ୟରେ ସରକାର ଗଠନ କରିବ। ତେବେ କଂଗ୍ରେସ୍ ର ସ୍ଥିତି ଜଟିଳ ହୋଇପଡିଛି । ପୂର୍ବ ଅପେକ୍ଷା କଂଗ୍ରେସ୍ ଆହୁରି ତଳକୁ ଖଡିଛି । ଏପରିକି ନିଜ ଗଡ ମଧ୍ୟ ରଖିବାରେ ଅସମର୍ଥ ହୋଇଛି । କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏପରି ଶୋଚନୀୟ ପରାଜୟ ପରେ ଏବେ ଆତ୍ମସମୀକ୍ଷା ପର୍ବ ଆରମ୍ଭ ହୋଇଛି । ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତତୃତ୍ବରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବାକୁ ଯାଉଛି । ଏଥିରେ ଦଳର ପରାଜୟର ସମ୍ଭାବ୍ୟ କାରଣ ସମ୍ପର୍କରେ ମାନସମନ୍ଥନ ହେବ ।
ସେହିପରି ଦଳ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି । ଦଳୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେଓ୍ବାଲା ପ୍ରେସମିଟ କରି ପଞ୍ଜାବରେ ଦଳୀୟ ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସଂଙ୍କୁ ଦାୟୀ କରିବାକୁ ପଛାଇ ନାହାନ୍ତି । କ୍ୟାପଟେନଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜନ ବିରୋଧୀ ନୀତି ଯୋଗୁ ଦଳ ସତ୍ତା ବିରୋଧୀ ଲହରର ସାମ୍ନା କରିଛି । କ୍ୟାପଟେନଙ୍କ ଶାସନରେ ପଞ୍ଜାବବାସୀ ଦଳ ଉପରୁ ଆସ୍ଥା ହରାଇଛନ୍ତି । ତାର ପରିଣାମ ସ୍ବରୂପ କ୍ଯାପଟେନ ଦଳରୁ ଅଲଗା ହେବା ପରେ ମଧ୍ଯ ତାର ପ୍ରଭାବ ଦଳ ଉପରେ ପଡିଲା ଓ ବିକଳ୍ପ ଭାବେ ଲୋକେ ଆପକୁ ବାଧ୍ୟ ହୋଇ ବାଛିଲେ ବୋଲି କହିଛନ୍ତି ସୂର୍ଯ୍ୟେଓ୍ବାଲା ।
ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦଳର ଶୋଚନୀୟ ପରାଜୟ ନେଇ ମୁହଁ ଖୋଲିଛନ୍ତି । ଜନମତ ଗ୍ରହଣ କରିବା ସହ ଏହି ଜନାଦେଶରୁ ଦଳ କିଛି ଶିଖିବ ବୋଲି କହିଛନ୍ତି । ଜନତାଙ୍କ ଆଦେଶକୁ ମାନିବାକୁ ପଡିବ ଓ ସମସ୍ତ ମତଦାତାଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ରାହୁଲ । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ବେଚ୍ଛାସେବୀ ଦଳ ପାଇଁ ଖୁବ ପରିଶ୍ରମ କରିଥିବା ଦର୍ଶାଇ ସେମାନଙ୍କୁ ରାହୁଲ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।





