ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ଚଳିତଥର ବିଧାନସଭା ନିର୍ବାଚନ ହୋଇଥିଲା । ଏହାର ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି । ତେବେ ୪ଟି ରାଜ୍ୟରେ ବିଜେପି ବାଜି ମାରିଥିବାବେଳେ ଗୋଟିଏରେ ଆମ ଆଦମି ପାର୍ଟି ବାଜି ମାରିଥିବାର ଦେଖିବାକୁ ମିଳିଛି । ସେପଟେ କଂଗ୍ରେସ ଏଥର ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ନିଜ ରାଜ୍ୟମାନଙ୍କରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଗୋଟିଏ ପଟେ ଯେଉଁଠି ନରେନ୍ଦ୍ର ମୋଦୀ ୨୦୧୪ ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ କଂଗ୍ରେସ ସରକାର ଦେଶର ୯ ଟି ରାଜ୍ୟରେ ରହିଥିଲେ । ହେଲେ ବର୍ତ୍ତମାନ କେବଳ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ସରକାର ଅଛି ।
ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଲୋକମାନେ ଧୀରେ ଧୀରେ କଂଗ୍ରେସର ନେତୃତ୍ୱ ଉପରେ ବିଶ୍ୱାସ ହରାଉଛନ୍ତି। ସେପଟେ ୨୦୧୪ ପରଠାରୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ସମେତ ଦେଶରେ ପ୍ରାୟ ୪୫ ଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ମଧ୍ୟରୁ କଂଗ୍ରେସ କେବଳ ପାଞ୍ଚଟି ନିର୍ବାଚନରେ ସଫଳତା ହାସଲ କରିଛି। ଅନ୍ୟପକ୍ଷରେ, ଗତକାଲି ବିଧାନସଭା ନିର୍ବାଚନରେ ହାରିଯିବା ପରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଡାକିବାର ସୂଚନା ଦେଇଛନ୍ତି । ଯେଉଁଥିରେ ପରାଜୟର କାରଣ ଆଲୋଚନା ହୋଇଥିଲା ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଜି -୨୩ ର ବୈଠକ ଆଜି ଦିଲ୍ଲୀର ଗୁଲାମ ନବି ଆଜାଦଙ୍କ ଘରେ ଅନୁଷ୍ଠିତ ହେବାର ସୂଚନା ମିଳିଛି । ଏହି ବୈଠକ ପୂର୍ବରୁ ଗୁଲାମ ନବୀ ଆଜାଦଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଛନ୍ତି ଯେ ମୁଁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟ ଦେଖି ମୋ ଛାତି ବିଦ୍ଧ ହୋଇଯାଉଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ ଆମେ ଆମର ପୁରା ଯବାନୀ ଏବଂ ଜୀବନ ପାର୍ଟିକୁ ଦେଇଛୁ। ମୁଁ ନିଶ୍ଚିତ ଯେ ଦଳର ନେତୃତ୍ୱ ସମସ୍ତ ଦୁର୍ବଳତା ଏବଂ ଅଭାବକୁ ଦେଖିବେ ଯାହା ବିଷୟରେ ମୁଁ ଏବଂ ମୋର ସହକର୍ମୀମାନେ ଦୀର୍ଘ ଦିନ ଧରି କଥା ହୋଇଆସୁଛୁ ବୋଲି କଂଗ୍ରେସ ନେତା ଗୁଲାମ ନବୀ ଆଜାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।





