ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ସେପଟେ ବିଜୟ ପରେ ଆପକୁ ନେଇ ସାରା ଭାରତ ବର୍ଷରେ ଅନେକ କଳ୍ପନାଜଳ୍ପନା ଚାଲିଛି । ଏପରିକି ଶାସକ ଦଳ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦି ଆମ ଆଦମି ପାର୍ଟି ହେବାକୁ ଯାଉଛି ବୋଲି ମଧ୍ୟ ଆଲୋଚନା ଜୋର ଧରିଛି । ଏହା ମଧ୍ୟରେ ବିଜେପି ନେତା ପି ମୁରଲିଧର ରାଓ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବ ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାର ଅର୍ଥ ଏହା ନୁହେଁ ଯେ ଆମ ଜାତୀୟ ସ୍ତରରେ ବିଜେପି ପାଇଁ ବିପଦ ସୃଷ୍ଟି କରିବ । ବିଜେପିର ବିକଳ୍ପ ହେବାକୁ ହେଲେ ଏହି ଦଳକୁ ଲୋକସଭାରେ ଅତିକମରେ ୧୦୦ ଆସନ ଜିତିବାକୁ ପଡ଼ିବ ବୋଲି ବିଜେପି ନେତା ପି ମୁରଲିଧର ରାଓ କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ଯେମିତି କିଛି ବର୍ଷ ପୂର୍ବରୁ କଂଗ୍ରେସ ମୁଖ୍ୟ ଜାତୀୟ ଦଳ ହୋଇଥିଲା । ଠିକ ସେଭଳି ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ବିଜେପି ଜାତୀୟ ଦଳ ହୋଇ ରହିବ । ବିଜେପି ବିରୋଧୀ ପାଇଁ ସ୍ଥାନ ଫାଙ୍କା ପଡ଼ିଥିବାବେଳେ ବିରୋଧୀ ଦଳ ଭାବେ କଂଗ୍ରେସର ଦକ୍ଷତା ସନ୍ଦେହ ଘେରରେ ରହିଛି । ତେଣୁ ଆପ ପାଇଁ ଏହା ସୁଯୋଗ ହୋଇପାରେ । କିନ୍ତୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ ହୋଇ ଉଭା ହେବା ପାଇଁ ସେମାନଙ୍କୁ ଅତିକମରେ ୧୦୦ ଲୋକସଭା ଆସନ ଜିତିବାକୁ ପଡ଼ିବ ବୋଲି ବିଜେପିର ବରିଷ୍ଠ ନେତା ପି ମୁରଲିଧର ରାଓ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





