ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଦୀର୍ଘ ୩୭ ବର୍ଷ ପରେ ପ୍ରଥମ ଥର କରି ପୁନର୍ବାର ମୁଖ୍ୟମନ୍ତ୍ରୀ ଶାସକ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ସିରାଥୁରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି । କାରଣ ଏଠାରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ନିର୍ବାଚନରେ ହାରିଯାଇଛନ୍ତି । ସେପଟେ ନିର୍ବାଚନରେ ହାରିବା ପରେ ମୌର୍ଯ୍ୟଙ୍କୁ ନେଇ ଅନେକ କଳ୍ପନଜଳ୍ପନା ଚାଲିଛି । ଏବଂ ଅନେକ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି । ପରାଜୟ ପରେ ମୌର୍ଯ୍ୟଙ୍କର ରାଜନୀତି ଯାତ୍ରାରେ କିଛି ପରିବର୍ତ୍ତନ ଆସିବ କି? ପରାଜୟ ସତ୍ତ୍ୱେ ବିଜେପି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବ ନା ତାଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ ? ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ସେପଟେ ତକାଲି ଆସିଥିବା ଫଳାଫଳରେ ସମାଜବାଦୀ ପାର୍ଟିର ଚିହ୍ନରେ ନିର୍ବାଚନ ଲଢ଼ୁଥିବା ଅପନା ଦଳ ନେତ୍ରୀ ପଲ୍ଲବୀ ପଟେଲ ମୌର୍ୟ୍ୟଙ୍କୁ ୭,୩୩୭ ଭୋଟରେ ପରାସ୍ତ କରିଥିଲେ । ପଲ୍ଲବୀଙ୍କୁ ୪୬.୪୯ ପ୍ରତିଶତ ଭୋଟ୍ ଏବଂ ମୌର୍ୟ୍ୟଙ୍କୁ ୪୩.୨୮% ଭୋଟ୍ ପାଇଥିଲେ ।
ଫଳାଫଳ ଘୋଷଣା ପରେ ମୌର୍ୟ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ସିରାଥୁବାସୀଙ୍କ ନିଷ୍ପତ୍ତିକୁ ନମ୍ରତାର ସହ ଗ୍ରହଣ କରୁଛି। ମୁଁ ବିଜେପି କର୍ମୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି ଏବଂ ଭୋଟରଙ୍କ ପାଖରେ କୃତଜ୍ଞ, ଯେଉଁମାନେ ମୋ ଉପରେ ବିଶ୍ୱାସ ରଖିଛନ୍ତି। ଏକୁଟିଆ ୨୫୫ଟି ଆସନ ଜିତିଥିବା ବିଜେପି ପାଇଁ ଏହା ଏକ ବଡ ଝଟକା ହୋଇଥିବାବେଳେ ମୌର୍ୟ୍ୟଙ୍କ ଭୂମିକା କଣ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ମୌର୍ୟ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ବା କ୍ୟାବିନେଟ ମନ୍ତ୍ରୀ ହେବେ ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ମନ୍ତ୍ରୀ ହେବା ପାଇଁ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହେବା ଆବଶ୍ୟକ। ତଥାପି, ଜଣେ ସଦସ୍ୟ ନଥିଲେ ମଧ୍ୟ ଶପଥ ନେଇପାରିବେ କିନ୍ତୁ ୬ ମାସ ମଧ୍ୟରେ ଉଭୟ ଗୃହରୁ କୌଣସି ଗୋଟିଏ ବି ଗୃହକୁ ନିର୍ବାଚିତ ହେବାକୁ ପଡ଼ିବ । ତେବେ ରାଜ୍ୟରେ ବିଜେପିର ବୃହତ ବିଜୟ ପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପରାସ୍ତ ହେବା ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
