ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଏଥର ଚାରୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବାଜି ମାରିଥିବାବେଳେ ପଞ୍ଜାବରେ ଆମ ଆଦମି ପାର୍ଟି ଜିତିଛି । ସେପଟେ କଂଗ୍ରେସର ପ୍ରଦର୍ଶନ ଏଥର ଅତ୍ୟନ୍ତ ଖରାପ ରହିଛି । ଏପରିକି ନିଜ ଗଡ଼ କୁହାଯାଉଥିବା ପଞ୍ଜାବରେ ମଧ୍ୟ କଂଗ୍ରେସକୁ ହାରର ସାମ୍ନା କରିବାକୁ ପଡ଼ିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ଦଳକୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଜି-୨୩ ଗ୍ରୁପ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି । ତେବେ ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପର ନେତାମାନେ ସାକ୍ଷାତ କରିଛନ୍ତି । ଏଥିରେ ପୂର୍ବତନ ମନ୍ତ୍ରୀ କପିଲ ସିବଲ ଏବଂ ମନୀଷ ତିୱାରୀ ମଧ୍ୟ ସାମିଲ ଥିଲେ ।
ବୈଠକରେ ସେ ସର୍ବଭାରତୀୟ କଂଗ୍ରେସ କମିଟିର ଜରୁରୀକାଳୀନ ବୈଠକ ଡ଼କାଇବା ଏବଂ ଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି କରିଛନ୍ତି । ସେପଟେ ପଞ୍ଜାବ ଛଡ଼ା ଉତ୍ତରପ୍ରଦେଶରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ଉତ୍ତରପ୍ରଦେଶରେ ଦଳକୁ ମାତ୍ର ୨ ଟି ସିଟ ମିଳିଛି । ଏବଂ ପାର୍ଟିର ଭୋଟ ପ୍ରତିଶତ ମଧ୍ୟ ୨ ପ୍ରତିଶତକୁ ହ୍ରାସ ପାଇଛି । ସେପଟେ କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ ମଧ୍ୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ପଞ୍ଜାବରେ କଂଗ୍ରେସକୁ ମାତ୍ର ୧୮ଟି ସିଟ ମିଳିଛି । ଏହାକୁ ଦୃଷ୍ଟିରେ ରଖି ନେତୃତ୍ୱ ପରିବର୍ତ୍ତନ କରିବା ପ୍ରସଙ୍ଗ ପୁଣିଥରେ ସକ୍ରିୟ ହୋଇ ଉଠିଛି ।





