ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ସପ୍ତାହକୁ ଦୁଇଦିନ ମିଳିବ ଛୁଟି । ତେବେ ଏହି ନିୟମ ସମଗ୍ର ଭାରତରେ ନୁହେଁ ବରଂ କେବଳ ମଣିପୁରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରି ମଣିପୁରର ରାଜ୍ୟପାଳ ଏହି ଘୋଷଣା କରିଛନ୍ତି। ତାଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧ରୁ ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ୟ୍ୟାଳୟ, ଏଜେନ୍ସି ଏବଂ ପିଏସୟୁ ପାଇଁ ପାଞ୍ଚ ଦିନିଆ କାର୍ୟ୍ୟଦିବସ ରହିବ।
ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମଣିପୁର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ୟ୍ୟାଳୟ, ଏଜେନ୍ସି ଏବଂ ପିଏସୟୁ ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ୟ୍ୟନ୍ତ କାର୍ୟ୍ୟଦିବସ ରହିବ। ଖରା ହେତୁ ମାର୍ଚ୍ଚରୁ ଅକ୍ଟୋବର ପର୍ୟ୍ୟନ୍ତ ସକାଳ ୯ଟାରୁ ୫.୩୦ ପର୍ୟ୍ୟନ୍ତ କାର୍ୟ୍ୟାଳୟ ଖୋଲା ରହିବ। ଶୀତଦିନ ପାଇଁ କାର୍ୟ୍ୟ ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଉଭୟ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଅପରାହ୍ନ ୧ଟାରୁ ୧.୩୦ ପର୍ୟ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହେବ। ଏହି ନିଷ୍ପତ୍ତି କର୍ମଚାରୀଙ୍କ କାର୍ୟ୍ୟ-ଜୀବନ ସନ୍ତୁଳନକୁ ଉନ୍ନତ କରିବ ବୋଲି ସରକାର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
