‘ଗ୍ରାମିଜ୍’ରେ ୟୁକ୍ରେନ୍‌କୁ ସମର୍ଥନ କରିବା ପାଇଁ ନିବେଦନ କଲେ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି

ନୂଆଦିଲ୍ଲୀ: ‘ଗ୍ରାମିଜ୍’ରେ (ଗ୍ରାମି ପୁରସ୍କାର ପ୍ରଦାନ ଉତ୍ସବ)ରେ ୟୁକ୍ରେନ୍‌କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି | ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଚାନକ ଦେଖା ଦେଇ ଜେଲେନ୍‌ସ୍କି ସମସ୍ତଙ୍କୁ ଏହି ସଙ୍କଟ ମଧ୍ୟରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି |

‘ଗ୍ରାମିଜ୍’ରେ ୟୁକ୍ରେନୀୟ ଗାୟିକା ମିକା ନିଉଟନ୍‌, ସଙ୍ଗୀତକାର ସିଉଜନ୍ନା ଇଗ୍ଲିଡାନ୍‌ ଏବଂ କବି ଲ୍ୟୁବା ୟାକିମ୍‌ଚୁକ୍‌ଙ୍କ ସହ ‘ଫ୍ରି’ ଗୀତର ଗାୟକ ଜନ୍‌ ଲିଜେଣ୍ଡ୍‌ ସଙ୍ଗୀତ ପରିବେଶଣ କରିବା ଆଗରୁ ଜେଲେନସ୍କିଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା।

ପ୍ରସାରିତ ବାର୍ତ୍ତାରେ ଜେଲେନ୍‌ସ୍କି କହିଥିଲେ, ବିଧ୍ବସ୍ତ ନଗରୀ ଓ ନିହତ ଜନତା ବ୍ୟତୀତ ସଙ୍ଗୀତର ସମକକ୍ଷ ଆଉ କ’ଣ ହୋଇପାରେ? ଆମର ସଙ୍ଗୀତକାରମାନେ ଟୁକ୍ସିଡୋ କୋଟ୍‌ ପିନ୍ଧିବା ପରିବର୍ତ୍ତେ ସାଞ୍ଜୁ ପିନ୍ଧିଛନ୍ତି। ସେମାନେ ହସ୍ପିଟାଲ୍‌ରେ ପଡ଼ିଥିବା ଆହତମାନଙ୍କୁ ଏବଂ ମୃତବ୍ୟକ୍ତିମାନଙ୍କୁ ଗୀତ ଶୁଣାଉଛନ୍ତି। ସଙ୍ଗୀତ ସବୁ ଜିନିଷକୁ ଭେଦ କରିପାରେ।

ବଞ୍ଚିବା, ସ୍ନେହ କରିବା, ପାଟି କରିବା ପାଇଁ ଆମେ ଆମର ସ୍ବାଧୀନତାକୁ ରକ୍ଷା କରୁଛୁ। ଆମ ଦେଶ ମାଟିରେ ଆମେ ରୁଷ୍‌ ସହିତ ଯୁଦ୍ଧ କରୁଛୁ। ବୋମା ବର୍ଷଣ କରି ରୁଷ୍‌ ଆମ ଦେଶରେ ଭୟାବହ ନିରବତା ସୃଷ୍ଟି କରିଛି। ନିସ୍ତବ୍ଧ ନିରବତା। ଆପଣମାନଙ୍କ ସଙ୍ଗୀତରେ ସେ ନିରବତାକୁ ପରିପୂର୍ଣ୍ଣ କରି ଆଜି ଆମ୍ଭମାନଙ୍କ କଥା ବଖାଣନ୍ତୁ।

ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଏହି ବିଶାଳ ସଙ୍ଗୀତ ଉତ୍ସବ ରାତ୍ରୀରେ ଜେଲେନ୍‌ସ୍କିଙ୍କ ଉଦ୍‌ବୋଧନ ବିଶ୍ବରେ ଚହଳ ପକାଇ ଦେଇଛି। ସାଧାରଣ ନାଗରିକମାନଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଉଛି ବୋଲି ଜେଲେନ୍‌ସ୍କି ସିଧାସଳଖ ମସ୍କୋ ନେତାମାନଙ୍କ ଉପରେ ଦୋଷାରୋପ କରିଛନ୍ତି। ସେ କହିଛନ୍ତି, ଆପଣମାନଙ୍କ ‘ସୋସିଆଲ୍‌ ନେଟ୍‌ୱାର୍କ’ ଓ ଟେଲିଭିଜନ୍‌ରେ ଯୁଦ୍ଧ ବିଷୟରେ ସତକଥା କୁହନ୍ତୁ। ଯେଉଁ ଉପାୟରେ ପାରୁଛନ୍ତି ଆମକୁ ସମର୍ଥନ କରନ୍ତୁ, କିନ୍ତୁ, ନିରବ ରୁହନ୍ତୁ ନାହିଁ। ଆପଣମାନଙ୍କ ସମର୍ଥନ ଆମକୁ ରୁଷ ବିରୋଧରେ ଦୃଢ ଭାବରେ ଛିଡା କରିବା ପାଇଁ ସାହାଯ୍ୟ କରିବ |

Related Posts