ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିରୋଧୀ ଦଳ ଇମ୍ରାନ ଖାନଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଦି କରି ଆସୁଛନ୍ତି । ଏହା ମଧ୍ୟରେ ଇମ୍ରାନ୍ ଖାଁଙ୍କ ପତ୍ନୀ ବ୍ରୁଶା ବିବିଙ୍କର ଜଣେ ବାନ୍ଧବୀ ୯୦,୦୦୦ ଡଲାର୍ ମୂଲ୍ୟର ଗୋଟାଏ ବ୍ୟାଗ୍ ନେଇ ପାକିସ୍ତାନରୁ ଦୁବାଇକୁ ଖସି ପଳାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସେପଟେ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କର ଜଣେ ବନ୍ଧୁ ପାକିସ୍ତାନ ଛାଡିବାର କିଛି ସମୟ ପରେ ସୋସିଆଲ ମିଡିଆରେ ଏକ ଚିତ୍ର ସାମ୍ନାକୁ ଆସିଥିଲା । ଯାହା ତାଙ୍କୁ ଏକ ବିଳାସପୂର୍ଣ୍ଣ ହ୍ୟାଣ୍ଡବ୍ୟାଗ ସହିତ ବିମାନରେ ଯାତ୍ରା କରୁଥିବା ଦର୍ଶାଇଥିଲା। ଫଟୋରେ ଦେଖା ଯାଉଛି, ବିଳାସମୟ ବିମାନରେ ଯାତ୍ରା କରୁଥିବା ଫାରାଙ୍କ ଗୋଡ଼ ନିକଟରେ ଉକ୍ତ ବ୍ୟୟବହୁଳ ବ୍ୟାଗ୍ଟି ରଖାଯାଇଛି। କିନ୍ତୁ, ଉକ୍ତ ଫଟୋଟି କେବେ ଉଠାଯାଇଥିଲା, ତାହା ଜଣାପଡ଼ିନାହିଁ। କିନ୍ତୁ, ଗିରଫ ହେବାର ଆଶଙ୍କା ଥିବାରୁ ସେ ପାକିସ୍ତାନ ଛାଡ଼ି ଚାଲିଯାଇଥିବା କଥା ପୂର୍ବରୁ ବିତାଡ଼ିତ ‘ପିଟିଆଇ’ ନେତା ଅଲୀମ୍ ଖାଁ ଅଭିଯୋଗ କରିଥିଲେ। ବିରୋଧୀ ଦଳ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍’ର ସଦସ୍ୟମାନେ ଦାବି କରିଛନ୍ତି ଯେ, ଫାରା ଖାଁଙ୍କ ପାଖରେ ଥିବା ଉକ୍ତ ବ୍ୟାଗ୍ର ମୂଲ୍ୟ ୯୦,୦୦୦ ଡଲାର୍। ଏ ବିଷୟରେ ଟୁଇଟ୍ କରି ରୋମିନା ଖୁର୍ଶିଦ୍ ଆଲାମ୍ ଲେଖିଛନ୍ତି, ବୁଶ୍ରାଙ୍କ ଡାହାଣହାତ ବୋଲାଉଥିବା ଫାରା ଖାଁ ଫେରାର ହୋଇଯାଇଛନ୍ତି।
ସେ ନେଇଥିବା ବ୍ୟାଗ୍ଟିର ମୂଲ୍ୟ ୯୦,୦୦୦ ଡଲାର୍। ହୂରୈନ୍ ପର୍ଓେଜ୍ ନାମରେ ଜଣେ ସାମାଜିକକର୍ମୀ ଦର୍ଶାଇଛନ୍ତି, ଘରୋଇ ବିମାନରେ ଦୁବାଇ ଯାତ୍ରା ପାଇଁ ୫୦,୦୦୦ ଡଲାର୍ରୁ ଅଧିକ ଖର୍ଚ୍ଚ ହୁଏ। ସମ୍ବାଦପତ୍ର ‘ଡନ୍’ ରିପୋର୍ଟ ଅନୁସାରେ, ମନପସନ୍ଦ ସ୍ଥାନକୁ ବଦଳି ହେବା ଲାଗି ସରକାରୀ ଅଧିକାରୀମାନେ ଫାରା ଖାଁଙ୍କୁ ବିପୁଳ ଅର୍ଥ ଲାଞ୍ଚ ଦେଉଥିବା ଅଭିଯୋଗ ହୋଇଥିଲା। ‘ପିଏମ୍ଏଲ୍-ଏନ୍’ ନେତ୍ରୀ ମରିୟମ୍ ନୱାଜ୍ ସରିଫ୍ କହିଛନ୍ତି, ଫାରା ସବୁ ଦୁର୍ନୀତିରେ ସମ୍ପୃକ୍ତା। ପଞ୍ଜାବ ପ୍ରଦେଶରେ ପଦସ୍ତ ସରକାରୀ ଅଧିକାରୀଙ୍କ ବଦଳି ଲାଗି ନିଆଯାଇଥିବା ୬ ବିଲିୟନ୍ ଡଲାର୍ ଲାଞ୍ଚ କାରବାରରେ ମଧ୍ୟ ସେ ଜଡ଼ିତ ଅଛନ୍ତି। ଫାରା ଇମ୍ରାନ୍ ଖାଁଙ୍କ ‘ତେହ୍ରୀକ୍-ଏ-ଇନ୍ସାଫ୍’ ଦଳରେ ସର୍ବସାଧାରଣଙ୍କ ସହ ଯୋଗସୂତ୍ର ରଖିବା ଭଳି କୌଣସି ପଦବୀରେ ନିଯୁକ୍ତ ହୋଇ ନ ଥିଲେ। କିନ୍ତୁ, ଇମ୍ରାନ୍ଙ୍କ ପତ୍ନୀଙ୍କ ସହ ବନ୍ଧୁତା ଥିବାରୁ ତାଙ୍କ ଉପରେ ଦୃଷ୍ଟି ରଖାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
