ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା କଂଗ୍ରେସକୁ ବଡ଼ ଝଟକା । ରାଜ୍ୟରେ ପିସିସି ସଭାପତିକୁ ନେଇ ବିବାଦ ଲାଗିରହିଥିବାବେଳେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଶନିବାର ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇଛନ୍ତି। ତେବେ ଜର୍ଜ ତିର୍କୀ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ, ଜିଲ୍ଲାରେ ଦଳ ତା’ର ସମ୍ପୂର୍ଣ୍ଣ ଅସ୍ତିତ୍ବ ହରାଇବାକୁ ଯାଉଛି। ଦଳର ସଭାପତି ଥିବାବେଳେ ସମସ୍ତ କାର‌୍ୟ୍ୟକର୍ତ୍ତାଙ୍କୁ ନେଇ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ସେ ପ୍ରୟାସ ଜାରି ରଖିଥିଲେ। ମାତ୍ର ପ୍ରଦେଶ କଂଗ୍ରେସ କମିଟି ଓ ଏଆଇସିସି ପକ୍ଷରୁ ଯେତିକି ସହଯୋଗ ମିଳିବା କଥା, ତାହା ତାଙ୍କୁ ମିଳି ନଥିଲା। ଜିଲ୍ଲାରେ ଦଳର ଏଭଳି ଦୟନୀୟ ସ୍ଥିତି ପାଇଁ ପିସିସି ଓ ଏଆଇସିସି ମୁଖ୍ୟତଃ ଦାୟୀ। ଦଳର କୌଣସି ଭବିଷ୍ୟତ ନଥିବାରୁ ଶେଷରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜର୍ଜ କହିଛନ୍ତି। ସେପଟେ ରାଜନୈତିକ ନେତାମାନେ ଦଳ ଛାଡ଼ିବା କିଛି ନୂଆ ଘଟଣା ହୋଇନଥିବାବେଳେ ଜର୍ଜ କଂଗ୍ରେସ ଛାଡ଼ିବା ସହିତ ଗୋଟିଏ ରୋଚକ ଘଟଣା ଯୋଡ଼ି ହୋଇଯାଇଛି।

ଦଳ ଛାଡିବାର ମାତ୍ର କେହି ଘଣ୍ଟା ପରେ ଜର୍ଜ ରାଉରକେଲା ସେକ୍ଟର-୨୧ସ୍ଥିତ କଂଗ୍ରେସ ପାର୍ଟି ଅଫିସକୁ ଦୁଇଟି ଅଟୋ ପଠାଇ ସମସ୍ତ ଆସବାବପତ୍ର ଯଥା- ଏସି, କୁଲର, ଚେୟାର, ସିସିଟିଭି ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି। ପାର୍ଟି ଅଫିସ୍ରୁ ଜର୍ଜ ଏଭଳି ଆସବାବପତ୍ର ନେଇଯିବାକୁ ଦଳର କର୍ମକର୍ତ୍ତାମାନେ ବିରୋଧ କରିଛନ୍ତି। ତାଙ୍କ ବିରୋଧରେ ପୂର୍ବତନ ଯୁବ କଂଗ୍ରେସ ସମ୍ପାଦକ ଏସକେ ଫିରଦୋସ ପ୍ଲାଣ୍ଟସାଇଟ ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏ ସଂକ୍ରାନ୍ତରେ ଜର୍ଜ ତିର୍କୀଙ୍କୁ କହିଛନ୍ତି, ସେ ଦଳର ସଭାପତି ଥିବାବେଳେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟ କରି ଅଫିସ୍ର ପୁନରୁଦ୍ଧାର କରିଥିଲେ। ତେଣୁ କିଣିଥିବା ସମସ୍ତ ଆସବାବପତ୍ର ସେ ନେଇ ଯାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନରେ ଜିଲ୍ଲାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜର୍ଜ ମାର୍ଚ୍ଚ ୨୯ରେ ଜିଲ୍ଳା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ମୁଖ୍ୟତଃ ୫ଟି କାରଣ ପାଇଁ ଜିଲ୍ଲା ସଭାପତି ପଦ ଛାଡିଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।
୧-ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।
୨-ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଆଦୌ ସହଯୋଗ ମିଳି ନଥିଲା। ଫଳରେ ତାଙ୍କୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା।
୩-ଦଳକୁ ଏକଜୁଟ କରିବାକୁ ବଣାଇ, ରଘୁନାଥପାଲ୍ଲୀ, ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ୟୁନିଟ୍ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ପ୍ରସ୍ତାବକୁ କେହି ଗ୍ରହଣ କରି ନଥିଲେ।
୪-ପଞ୍ଚାୟତ ଓ ପୌର ନିର୍ବାଚନରେ ସୁନ୍ଦରଗଡ଼ ଡିସିସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇ ନଥିଲେ। ଫଳରେ ଜିଲ୍ଲାରେ ଦଳକୁ ପରାଜିତ ହେବାକୁ ପଡିଥିଲା।
୫-ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୂକ ବଧିର ପାଲଟିଯାଇଥିବାରୁ ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ଅଭିଯୋଗ କରିଥିଲେ ବି କାର‌୍ୟ୍ୟାନୁଷ୍ଠାନ ପରିବର୍ତ୍ତେ ଦଳ ସେମାନଙ୍କୁ ପୁରସ୍କୃତ କରିଥିଲା ଯାହା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା ।

ଅନ୍ୟପଟେ ଜର୍ଜ ତିର୍କୀ ଚାରିଥର ଜେଏମଏମ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ ଏବଂ ୨୦୦୦ ମସିହାରେ ଦୁଇଥର ସ୍ବାଧୀନ, ୨୦୦୯ ଓ ୨୦୧୪ରେ ସମତାକ୍ରାନ୍ତି ଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଜର୍ଜ ୨୦୧୮ ସେପ୍ଟେମ୍ବରରେ ସମତାକ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ଓ ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। କେବଳ ସେତିକି ନୁହେଁ ବୀରମିତ୍ରପୁର ବିଧାନସଭା ଆସନରୁ ତାଙ୍କ ପୁଅ ରୋହିତ ଯୋସେଫ୍ ତିର୍କୀ ମଧ୍ୟ ପରାଜିତ ହୋଇଥିଲେ। ଅନ୍ୟପଟେ ଜର୍ଜଙ୍କ ଇସ୍ତଫାକୁ ନେଇ ଜିଲ୍ଲା କଂଗ୍ରେସ କର୍ମୀଙ୍କର ଚିନ୍ତା ବଢ଼ି ଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । କାହିଁକିନା ବର୍ତ୍ତମାନ ଜିଲ୍ଲା କଂଗ୍ରେସର ମଙ୍ଗ ଧରିବେ କିଏ ? ଜର୍ଜ ତିର୍କୀ ବର୍ତ୍ତମାନ କେଉଁ ଦଳକୁ ଯିବେ ? ଏସବୁ ଅନେକ କଥା ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଜିଲ୍ଲାର କଂଗ୍ରେସ ମଙ୍ଗ କିଏ ଧରୁଛନ୍ତି ।