ଗୁଜୁରାଟ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସ ଛାଡ଼ି ଆପରେ ମିଶିଲେ ବରିଷ୍ଠ ନେତା କୌଳାଶ ଗାଢ଼ବି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଟିଏ ପରେ କଂଗ୍ରେସ ନିଜର ସ୍ଥିତି ଦୃଢ଼ କରିବା ପାଇଁ ଅନେକ ନୀତି ଅବଲମ୍ବନ କରୁଛି । ଆଉ ଗୋଟିଏ ପଟେ ଦଳର ବରିଷ୍ଠ ନେତାମାନେ ଦଳ ଛାଡ଼ିବାରେ ଲାଗିଛନ୍ତି । ସେପଟେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ଗୁଜୁରାଟ ବିଧାନସଭା ନିର୍ବାଚନରେ ବାଜି ମାରିବା ଳକ୍ଷ୍ୟରେ ରହିଛି । ହେଲେ ନିର୍ବାଚନ ପୂର୍ବରୁ ହିଁ ଜଣେ ପରେ ଜଣେ ଦଳର ବରିଷ୍ଠ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଯାହା କଂଗ୍ରେସକୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଗୁଜରାଟ କଂଗ୍ରେସ ନେତା କୈଳାଶ ଗାଢ଼ବି ରବିବାର ଦିନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ସେପଟେ ଆପରେ ମିଶିବା ପରେ ରାଜ୍ୟରେ ଅହଂକାରୀ ବିଜେପି ସରକାର ସହ ସେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ଆଜି ସେ ନିଜର ପ୍ରାୟ ୩୦୦ ସମର୍ଥକଙ୍କ ସହ ଆପରେ ଯୋଗ ଦେଇଛନ୍ତି । କୈଳାଶ ଗାଢ଼ବି କହିଛନ୍ତି ଯେ ଗୁଜରାଟରେ ବିଜେପି ସରକାର ସ୍ୱାସ୍ଥ୍ୟ, ଶିକ୍ଷା ସହିତ ଲୋକଙ୍କୁ ସୁରକ୍ଷା ଏବଂ ରୋଜଗାର ଯୋଗାଇବାରେ ବିଫଳ ହୋଇଛନ୍ତି।

ସେ କହିଛନ୍ତି ଯେ ଶାସକ ସରକାର ୨୭ ବର୍ଷ ଶାସନ କାଳରେ ରାଜ୍ୟକୁ “ରାଜନୀତିର ପରୀକ୍ଷାଗାର” କରିଛନ୍ତି। ଦିଲ୍ଲୀର ଆପ ବିଧାୟକ ତଥା ଦଳର ଗୁଜୁରାଟର ଦାୟିତ୍ୱରେ ଥିବା ଗୁଲାବ ସିଂ ରାଜପୁତ କହିଛନ୍ତି ଯେ ଏଠାରେ ବିଜେପି ଓ କଂଗ୍ରେସର ନେତାମାନେ ତାଙ୍କ ଦଳରେ ଯୋଗଦେବା ଏକ ଉତ୍ସାହଜନକ ସଙ୍କେତ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆହୁରି ବଡ ଚେହେରା ମଧ୍ୟ ଆପରେ ଯୋଗଦେବେ। ଚର୍ଚ୍ଚା ମୁତାବକ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ଆପରେ ଯୋଗ ଦେଇପାରନ୍ତି । ସେ କଂଗ୍ରେସକୁ ନେଇ ଥିବା ଅସନ୍ତୋଷକୁ ଖୋଲାଖୋଲି ଜାହିର କରିଥିବାବେଳେ ଆପ ମଧ୍ୟ ତାଙ୍କୁ ଦଳରେ ମିଶିବାକୁ ଅଫର ଦେଇଥିଲ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts