ନୂଆଦିଲ୍ଲୀ: ମିଳିଲା ସୂଚନା । ନେପାଳର କୋୱାଙ୍ଗରୁ ୨୨ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନର ଭଗ୍ନାଂଶ ମିଳିଛି । କିଛି ସମୟ ତଳେ ୨୨ଜଣ ଯାତ୍ରୀଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଥିଲେ।
ବିମାନରେ ଚାରିଜଣ ଭାରତୀୟ, ଦୁଇ ଜଣ ଜର୍ମାନ, ୧୩ ଜଣ ନେପାଳୀ ଯାତ୍ରୀ ଏବଂ ତିନିଜଣ ନେପାଳୀ କ୍ରୁ ସଦସ୍ୟ ଥିଲେ। କିଛି ଘଣ୍ଟା ଧରି ବିମାନର କୌଣସି ପତ୍ତା ମିଳିନଥିବା ବେଳେ ଏବେ ନେପାଳର କୋୱାଙ୍ଗରୁ ବିମାନର ଭଗ୍ନାଂଶ ମିଳିଛି।
ତେବେ ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିପାରିନାହିଁ। ଖବର ମିଳିବା ପରେ ଏବେ ନେପାଳର ସ୍ଥଳସେନା ଓ ବାୟୁସେନା ଘଟଣାସ୍ଥଳକୁ ଯାଉଛନ୍ତି।
ସ୍ଥାନୀୟ ଲୋକେ ନେପାଳର ସ୍ଥଳସେନାକୁ ଦେଇଥିବା ସୂଚନା ମୁତାବକ, ବିମାନଟି ଲାମଚେ ନଦୀ ମୁହାଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସେନା ପହଞ୍ଚିବା ପରେ ମୃତାହତଙ୍କ ସଂଖ୍ୟା ଓ ଦୁର୍ଘଟଣାର କାରଣ ସାମ୍ନାକୁ ଆସିପାରିବ।
ଉଲ୍ଲେଖଯୋଗ୍ୟ, ‘ତାରା ଏୟାର୍’ର ୯ଏନ୍ଏଇଟି ଦ୍ବୈତ-ଇଞ୍ଜିନ୍ ଥିବା ବିମାନଟି ଆଜି ସକାଳ ୯.୫୫ରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାର୍ରୁ ଅଦୃଶ୍ୟ ହୋଇ ଯାଇଥିଲା। ନିରୁଦ୍ଦିଷ୍ଟ ବିମାନର ସନ୍ଧାନ କରିବା ଲାଗି ଗୋଟାଏ ହେଲିକପ୍ଟର୍କୁ ପଠାଯାଇଥିଲା।
ନିରୁଦ୍ଦିଷ୍ଟ ହୋଇଯାଇଥିବା ବିମାନଟିକୁ ଚଳାଉଥିବା ପାଇଲଟ୍ଙ୍କ ନାମ ପ୍ରଭାକରପ୍ରସାଦ ଘିମିରେ ବୋଲି ଜଣାପଡ଼ିଛି।